Categories: ଜାତୀୟ

ସନ୍ଦେହରେ ଇଭିଏମ୍‌

ନୂଆଦିଲ୍ଲୀ, ୧୦।୧୦: ୯୦ ସଦସ୍ୟ ବିଶିଷ୍ଟ ହରିୟାଣା ବିଧାନସଭା ନିର୍ବାଚନରେ ସରକାର ଅଧିକ ଆମତ୍ବିଶ୍ୱାସୀ ହୋଇଯାଇଥିଲା। କଂଗ୍ରେସ ସରକାର ଗଢ଼ିବ ବୋଲି ଅଧିକାଂଶ ଏକ୍‌ଜିଟ୍‌ ପୋଲ ମଧ୍ୟ ଭବିଷ୍ୟବାଣୀ କରିଥିଲେ। କିନ୍ତୁ ଦଳକୁ ୩୭ ଆସନରେ ସଫଳତା ମିଳିଛି, ଯାହାକି ମ୍ୟାଜିକ୍‌ ନମ୍ବରଠାରୁ ୯ କମ୍‌। ଏହି ପରିଣାମକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅପ୍ରତ୍ୟାଶିତ କହି ଏହା ଉପରେ ବିଶ୍ଳେଷଣ କରାଯିବ ବୋଲି କହିଛନ୍ତି। ଏଥିସହ ଲୋକଙ୍କ ସାମାଜିକ-ଅର୍ଥନୈତିକ ଅଧିକାର, ନ୍ୟାୟ ଓ ସତ୍ୟ ପାଇଁ ସ୍ବର ଉଠାଇବା ଜାରି ରଖିବେ ବୋଲି ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ସ୍ପଷ୍ଟ କରିଛନ୍ତି। ଏହାର ଜବାବରେ ନିର୍ବାଚନ କମିଶନ (ଇସି) ରାହୁଲ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ପତ୍ର ଲେଖିଛନ୍ତି। ରାହୁଲଙ୍କ ଏଭଳି ମନ୍ତବ୍ୟ ଗ୍ରହଣୀୟ ନୁହେଁ ବୋଲି ଇସି କହିଛନ୍ତି। ଇତିମଧ୍ୟରେ କଂଗ୍ରେସର ୧୨ ଜଣିଆ ପ୍ରତିନିଧି ଦଳ ଇସିଙ୍କୁ ଭେଟି ହରିୟାଣା ଭୋଟ ଗଣତି ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ ଇଭିଏମ୍‌ରେ ଜାଲିଆତି ହୋଇଥିବା ଅଭିଯୋଗ ଆଣିଛନ୍ତି। ଏଭଳି ଇଭିଏମ୍‌ଗୁଡ଼ିକୁ ତୁରନ୍ତ ସିଲ୍‌ କରାଯାଇ ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି। ପ୍ରତିନିଧି ଦଳରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡ଼ା, ରାଜସ୍ଥାନର ପୂର୍ବ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌, ଏଆଇସିସି ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ, ଜୟରାମ ରମେଶ, ଅଜୟ ମାକେନ, ପବନ ଖେରା ଏବଂ ଦଳର ଅନ୍ୟ ବରିଷ୍ଠ ନେତାମାନେ ସାମିଲ ଥିଲେ। ସେମାନେ ଇସିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ବିଭିନ୍ନ ଆସନରେ ହୋଇଥିବା ଇଭିଏମ୍‌ ତ୍ରୁଟି ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ଇଭିଏମ୍‌ ଜାଲିଆତିର ଅନୂ୍ୟନ ୨୦ଟି ଅଭିଯୋଗ ଆସିଥିବା ଅଭିଯୋଗ ଆଣି ଏହାର ତଦନ୍ତ ଦାବି କରିଥିଲେ।

Share