Categories: ଜାତୀୟ

ଅଟକି ରହିଛି ଇଭିଏମ୍‌, ୟୁପି-ପଞ୍ଜାବ-ଗୋଆ-ମଣିପୁରରେ ବିଧାନସଭା ନିର୍ବାଚନ ହେବା ନେଇ ଆଶଙ୍କା …

ନୂଆଦିଲ୍ଲୀ,୨।୯: ଆସନ୍ତା ବର୍ଷ ଉତ୍ତରପ୍ରଦେଶ (ୟୁପି), ପଞ୍ଜାବ, ଗୋଆ ଏବଂ ମଣିପୁରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେବେ ଏନେଇ ଆଶଙ୍କା ସୃଷ୍ଟି ହୋଇଛି। ଇଭିଏମ୍‌ ଏବଂ ଭିଭିପାଟ୍‌ ଅଭାବ ଯୋଗୁ ନିର୍ବାଚନ କରାଇବାକୁ ନିର୍ବାଚନ ଆୟୋଗ (ଇସି)ଙ୍କ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି। ନିର୍ବାଚନ ଆୟୋଗ ଏହି ରାଜ୍ୟଗୁଡିକରେ ନିର୍ବାଚନ ପରିଚାଳନା କରିବାରେ ଅସମର୍ଥତା ପ୍ରକାଶ କରିଛନ୍ତି। ଇଭିଏମ ଏବଂ ଭିଭିପାଟ୍‌ ଆସାମ, କେରଳ, ତାମିଲନାଡୁ, ଦିଲ୍ଲୀ, ପୁଡୁଚେରୀ ଏବଂ ପଶ୍ଚିମବଙ୍ଗରେ ଅଟକି ରହିଛି। ଏ ସମ୍ପର୍କରେ ଆୟୋଗଙ୍କ ପକ୍ଷରୁ ସୁପ୍ରିମକୋର୍ଟ (ଏସ୍‌ସି)ରେ ଏକ ପିଟିସନ ମଧ୍ୟ ଦାଖଲ କରାଯାଇଛି।

୬ଟି ରାଜ୍ୟରେ ଅଟକି ରହିଥିବା ଇଭିଏମ୍‌ ଗୁଡିକର ପୁନଃ ବ୍ୟବହାର ପାଇଁ ଅନୁମତି ଲାଗି ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଆସାମ, କେରଳ, ଦିଲ୍ଲୀ, ପୁଡୁଚେରୀ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହୋଇଥିବା ନିର୍ବାଚନ ପରଠାରୁ ଇଭିଏମ ଏବହ ଭିଭିପାଟ୍‌ ସେଠାରେ ରହିଥିବା ଆୟୋଗ କହିଛନ୍ତି।
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମନା, ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଏ.ଏସ୍‌.ବୋପାନ୍ନାଙ୍କ ନେତୃତ୍ୱରେ ଗଠିତ ତିନିଜଣିଆ ଖଣ୍ଡପୀଠଙ୍କ ସମ୍ମୁଖେରେ ଆୟୋଗଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଆଇନଜୀବୀ ବିକାଶ ସିଂ କହିିଛନ୍ତି ଯେ ବହୁ ସଂଖ୍ୟକ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ଏବଂ ଭୋଟର ଭେରିଫାଏଡ ପେପର ଅଡିଟ ଟ୍ରେଲ ମେସିନ (ଭିଭିପିଏଟି) ବିଭିନ୍ନ ରାଜ୍ୟରେ ପଡ଼ି ରହିଛି। ଆୟୋଗ ଏସବୁକୁୁ ଆଗାମୀ ନିର୍ବାଚନ ପାଇଁ ଆବଶ୍ୟକ କରୁଛନ୍ତିି। ଆୟୋଗଙ୍କ ବିବୃତ୍ତି ଶୁଣିବା ପରେ ଖଣ୍ଡପୀଠ କହିଛନ୍ତି ଯେ ଏହାର ଶୂଣାଣି ଆସନ୍ତା ସପ୍ତାହରେ କରାଯିବ।
ବରିଷ୍ଠ ଆଇନଜୀବୀ କହିଛନ୍ତି, ଏହି ଇଭିଏମ ଏବଂ ଭିଭିପିଏଟ ମେସିନଗୁଡ଼ିକ ଠିକ କରିବାକୁ ପଡିବ। ଅଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଆବେଦନ ଉପରେ ଶୁଣାଣି କରିବା ଶୀଘ୍ର ଆବଶ୍ୟକ। ଏହାର ଉତ୍ତରରେ ଖଣ୍ଡପୀଠ କହିଛନ୍ତି ଯେ, ଠିକ ଅଛି, ଆସନ୍ତା ସପ୍ତାହରେ ଏ ପ୍ରସଙ୍ଗରେ ଆଲୋଚନା କରାଯିବ।

କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ୨୦୨୧ ଏପ୍ରିଲ ୨୭ ରେ ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ ଲୋକ ପ୍ରତିନିଧି ଅଧିନିୟମ, ୧୯୫୧ ଅନୁଯାୟୀ ନିର୍ବାଚନ ଆବେଦନ ସମେତ ଆବେଦନପତ୍ର ଦାଖଲ ପାଇଁ ଆଇନଗତ ସମୟକୁ କୋହଳ କରିଥିଲେ। ଫଳସ୍ବରୂପ, ଯେ କୌଣସି ବ୍ୟକ୍ତି ନିର୍ବାଚିତ ପ୍ରାର୍ଥୀ ଚୟନକୁ ଚ୍ୟାଲେଞ୍ଜ କରିପାରିବେ ଏବଂ ପ୍ରକ୍ରିୟା ଅନୁଯାୟୀ, ନ୍ୟାୟିକ ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗଙ୍କୁ ପ୍ରମାଣ ସ୍ବରୂପ ଇଭିଏମ ଏବଂ ଭିଭିପାଟ୍‌ ମେସିନଗୁଡ଼ିକୁ ସଂରକ୍ଷଣ କରିବାକୁ ପଡିବ।

ଆୟୋଗ ତାଙ୍କ ଆବେଦନରେ କହିଛନ୍ତି ଯେ ଏହି କାରଣରୁ ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ବ୍ୟବହୃତ ସମସ୍ତ ଇଭିଏମ ଏବଂ ଭିଭିପାଟ୍‌ଗୁଡିକ ଅବରୋଧ କରାଯାଇଛି ଏବଂ ସେଗୁଡିକ ଆଗାମୀ ନିର୍ବାଚନରେ ବ୍ୟବହାର କରାଯିବା ନେଇ ସଙ୍କଟ ସୃଷ୍ଟି ହୋଇଛି।

Share