Categories: ଜାତୀୟ

ତାମିଲନାଡୁରେ ଇଡବ୍ଲୁଏସ ରାଜନୀତି ତେଜିଲା…

ଚେନ୍ନାଇ,୧୨।୧୧ : ତାମିଲନାଡୁର ଶାସକ ରାଜନୈତିକ ଦଳ ଗରିବ ସବର୍ଣ୍ଣଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ (ଇଡବ୍ଲୁଏସ ସଂରକ୍ଷଣ)କୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ୧୦୩ତମ ସମ୍ବିଧାନ ସଂଶୋଧନ ବିଲ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନଙ୍କ ଦ୍ୱାରା ଏକ ସର୍ବଦଳୀୟ ବୈଠକରେ ପ୍ରତ୍ୟାଖ୍ୟାନ କରାଯାଇଛି। ଏହା ଗରିବଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରିବ ବୋଲି ଦଳ କହିଛି।

ମୁଖ୍ୟ ବିରୋଧୀ ଏଆଇଏଡିଏମକେ ଏବଂ ଏହାର ସହଯୋଗୀ ଭାଜପା ଷ୍ଟାଲିନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକକୁ ବହିଷ୍କାର କରିଛି। ଏହି ବୈଠକରେ ସମ୍ପୃକ୍ତ ଦଳମାନେ ରାଜ୍ୟ ସରକାରଙ୍କୁ ଏହାର ପ୍ରତିବାଦ କରିବାକୁ ଆବେଦନ କରିଥିବାବେଳେ ଏହାର ପ୍ରତିବାଦକୁ ଜୋରଦାର କରିବାକୁ ଅନୁରୋଧ କରିଛନ୍ତି।

ଅର୍ଥନୈତିକ ଦୁର୍ବଳ ବର୍ଗଙ୍କ ପାଇଁ ୧୦ପ୍ରତିଶତ ସଂରକ୍ଷଣ ନେଇ ସୁପ୍ରିମକୋର୍ଟଙ୍କ ନଭେମ୍ବର ୮ ଆଦେଶ ବିରୋଧରେ ଏକ ସମୀକ୍ଷା ଆବେଦନ ଦାଖଲ କରିବେ ବୋଲି ଶାସକ ଡିଏମକେ ଘୋଷଣା କରିସାରିଛି। ସର୍ବୋଚ୍ଚ ଅଦାଲତର ପାଞ୍ଚ ଜଣିଆ ସାମ୍ବିଧାନିକ ବେଞ୍ଚ ଏହାର ରାୟ ପ୍ରଦାନ କରୁଥିବାବେଳେ ଗରିବ ଉଚ୍ଚ ଜାତିର ଲୋକଙ୍କ ପାଇଁ ସଂରକ୍ଷଣ କରିଛନ୍ତି। ସର୍ବଦଳୀୟ ବୈଠକରେ ପାରିତ ହୋଇଥିବା ପ୍ରସ୍ତାବରେ କୁହାଯାଇଛି ଯେ ଆମେ ୧୦୩ ତମ ସାମ୍ବିଧାନିକ ସଂଶୋଧନକୁ ପ୍ରତ୍ୟାଖ୍ୟାନ କରିଛୁ। ଏହା ସମ୍ବିଧାନରେ ଦର୍ଶାଯାଇଥିବା ସାମାଜିକ ନ୍ୟାୟ ବିରୁଦ୍ଧ ଅଟେ। ଏହି ନିଷ୍ପତ୍ତି ଗରିବଙ୍କ ମଧ୍ୟରେ ଜାତି ଭେଦଭାବ ସୃଷ୍ଟି କରିବ। ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟରେ ଏକ ସମୀକ୍ଷା ଆବେଦନ କରିବାବେଳେ ଆମେ ମଧ୍ୟ ସାମାଜିକ ନ୍ୟାୟ ଏବଂ ସମାନତା ନିଶ୍ଚିତ କରିବାକୁ ସରକାରଙ୍କୁ ଅନୁରୋଧ କରିବୁ।

 

Share