Categories: ଜାତୀୟ

ବଦଳିବନି ମେଡିକାଲ ପାଠ୍ୟକ୍ରମରେ ଇଡବ୍ଲ୍ୟୁଏସ୍‌ ମାନଦଣ୍ଡ

ନୂଆଦିଲ୍ଲୀ, ୩।୧: ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଆର୍ଥତ୍କ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ୍‌) ଚୟନ ନିମନ୍ତେ ବର୍ତ୍ତମାନର ମାନଦଣ୍ଡ ଚଳିତ ଶିକ୍ଷାବର୍ଷ ଲାଗି କାଏମ ରହିବ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ସତ୍ୟପାଠ ଜରିଆରେ ଜଣାଇଛନ୍ତି। ଇଡବ୍ଲ୍ୟୁଏସ୍‌ ଚୟନ ପାଇଁ ବାର୍ଷିକ ଆୟସୀମା ୮ ଲକ୍ଷ ଟଙ୍କା ମାନଦଣ୍ଡ କାଏମ ରଖିବା ଲାଗି କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ୩ ଜଣିଆ କମିଟି ସୁପାରିସ୍‌ କରିଥିଲେ। ଏବେ ନାମଲେଖା ଓ ଏନ୍‌ଇଇଟି (ଜାତୀୟ ଯୋଗ୍ୟତ ଓ ପ୍ରବେଶିକା ପରୀକ୍ଷା) ଛାତ୍ରୀଛାତ୍ରଙ୍କ ପାଇଁ କଲେଜ ନିର୍ଦ୍ଧାରଣ ପ୍ରକ୍ରିୟା ଚାଲିଥିବାରୁ ଏଭଳି ସମୟରେ କୋଟା ନିୟମରେ ପରିବର୍ତ୍ତନ କରିବା ସମସ୍ୟା ସୃଷ୍ଟି କରିବ ବୋଲି ସରକାର କହିଛନ୍ତି। ତେବେ ଇଡବ୍ଲ୍ୟୁଏସ୍‌ ନିୟମାବଳୀରେ ସଂଶୋଧନ ଆସନ୍ତା ଶିକ୍ଷାବର୍ଷରୁ ଲାଗୁ ହୋଇପାରେ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ସଂଶୋଧିତ ଇଡବ୍ଲ୍ୟୁଏସ୍‌ ମାନଦଣ୍ଡ ସର୍ବାଧିକ ବାର୍ଷିକ ଆୟସୀମା ୮ ଲକ୍ଷ ରଖିଥିବାବେଳେ ଏହା ବାଦ୍‌ ୫ ଏକରରୁ ଅଧିକ କୃଷି ଜମି ଓ ଅନ୍ୟାନ୍ୟ ମାନଦଣ୍ଡକୁ ବାଦ୍‌ ଦିଆଯାଇଛି। ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ମଧ୍ୟରେ ସ୍ବଚ୍ଛଳ ବର୍ଗ ନିର୍ଦ୍ଧାରଣ କରିବା ଲାଗି ୮ ଲକ୍ଷ ବାର୍ଷିକ ଆୟସୀମା ଧାର୍ଯ୍ୟ ହୋଇଥିବାବେଳେ ଇଡବ୍ଲ୍ୟୁଏସ୍‌ଙ୍କ ପାଇଁ ସମାନ ସୀମା ଧାର୍ଯ୍ୟ ହେଲା କ’ଣ ପାଇଁ ବୋଲି ପୂର୍ବରୁ ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଥିଲେ। ଗତ ନଭେମ୍ବରରେ ହୋଇଥିବା ଶୁଣାଣି ବେଳେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସରକାରଙ୍କ ତରଫରୁ କୋର୍ଟରେ ଉପସ୍ଥିତ ରହି ପ୍ରଚଳିତ ଆୟ ମାନଦଣ୍ଡର ପୁନର୍ବିଚାର କରାଯାଇ ୪ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ। ସେହି ଅନୁଯାୟୀ ନଭେମ୍ବର ୩୦ରେ ସରକାର ପୂର୍ବତନ ଅର୍ଥ ସଚିବ ଅଜୟ ଭୂଷଣ ପାଣ୍ଡେ, ଆଇସିଏସ୍‌ଏସ୍‌ଆର୍‌ ସଦସ୍ୟ ସଚିବ ଭି.କେ. ମାଲହୋତ୍ରା ଏବଂ ସରକରାଙ୍କ ପ୍ରମୁଖ ଅର୍ଥନୈତିକ ଉପଦେଷ୍ଟା ସଞ୍ଜୀବ ସାନ୍ୟାଲଙ୍କୁ ନେଇ ୩ ଜଣିଆ କମିଟି ଗଢ଼ିଥିଲେ। ଗତ ଡିସେମ୍ବର ୩୧ରେ କମିଟି ଏହାର ରିପୋର୍ଟ ଦାଖଲ କରିଥିଲା।
ଏନ୍‌ଇଇଟି-ପିଜି ପାଇଁ ନାମଲେଖା ପ୍ରସଙ୍ଗରେ ସରକାର ସତ୍ୟପାଠ ଦାଖଲ କରି କହିଛନ୍ତି, ଯେଉଁମାନଙ୍କ ପରିବାରର ବାର୍ଷିକ ଆୟ ୮ ଲକ୍ଷ ଟଙ୍କା କିମ୍ବା ଏହାଠାରୁ କମ୍‌ ହୋଇଥିବ ସେମାନେ ଇଡବ୍ଲ୍ୟୁଏସ୍‌ ସଂରକ୍ଷଣର ସୁବିଧା ହାସଲ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ବିଭାଗ ସଚିବ ଆର୍‌. ସୁବ୍ରମଣ୍ୟମ୍‌ ସତ୍ୟପାଠ ଦାଖଲ କରି ସରକାର କମିଟିର ସୁପାରିସ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି। ତେବେ କମିଟି ନିଷ୍ପତ୍ତି ନେବାରେ ବିଳମ୍ବ ଯୋଗୁ ଏନ୍‌ଇଇଟି-ପିଜି ୨୦୨୧ କାଉନସେଲିଂ ବିଳମ୍ବିତ ହୋଇଛି। ଏହା ବିରୋଧରେ ବହୁସଂଖ୍ୟାରେ ଡାକ୍ତର ଦିଲ୍ଲୀ ଏବଂ ଦେଶର ଅନ୍ୟ ଭାଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Share