ଆଉଟସୋର୍ସିଂ ଜରିଆରେ ଶ୍ରୀମନ୍ଦିରର ନିଯୁକ୍ତ ହେବେ ସେନା ଅଧିକାରୀ; କଡାକଡି ହେବ ସୁରକ୍ଷା ବ୍ୟବସ୍ଥା

ପୁରୀ,୨୮।୮: ଶ୍ରୀ ମନ୍ଦିରରେ ଥିବା ଆନନ୍ଦ ବଜାରରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡାକଡି କରିବାକୁ ପୂର୍ବତନ ସେନା କର୍ମଚାରୀମାନେ ମୁତୟନ ହେବେ ବୋଲି ମନ୍ଦିର ପ୍ରଶାସକ ଅଜୟ ଜେନା ସୂଚନା ଦେଇଛନ୍ତି। ଆନନ୍ଦ ବଜାରରେ ଶୃଙ୍ଖଳା ବଜାୟ ରଖିବା ଏବଂ କାର୍ଯ୍ୟକଳାପର ତଦାରଖ କରିବା ପାଇଁ ୨୦ ଜଣ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଏକ ଟିମ୍ ନିଯୁକ୍ତ କରାଯିବ।

ଏଥିପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇସାରିଛି ଏବଂ ପ୍ରାୟ ୬୦ ଜଣ ଅବସରପ୍ରାପ୍ତ ସୈନିକଙ୍କ ସାକ୍ଷାତକାର ଗ୍ରହଣ କରାଯାଉଛି। ଏହି ପଦକ୍ଷେପ ଏକ ଘରୋଇ ଆଉଟସୋର୍ସିଂ କମ୍ପାନୀ ମାଧ୍ୟମରେ ଉପଲବ୍ଧ କରାଯାଉଛି। ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ୨୦ଟି ପଦବୀ ପୂରଣ ହେବ ବୋଲି ଆଶା କରାଯାଉଛି।

ପରେ ସେପ୍ଟେମ୍ବର ୧ ରୁ ଆନନ୍ଦ ବଜାରରେ ନୂତନ ନିଯୁକ୍ତ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯିବ। ସେମାନଙ୍କର ଡ୍ରେସ୍ କୋଡ୍ ରହିବ ଏବଂ ଆନନ୍ଦ ବଜାରରେ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯିବ।

ଆନନ୍ଦ ବଜାରରେ ଅଣପଞ୍ଜୀକୃତ ପ୍ରସାଦ ବିକ୍ରିକୁ ରୋକିବା ପାଇଁ କଡା ପଦକ୍ଷେପ ନିଆଯିବ। ମନ୍ଦିର ପ୍ରଶାସନ ଦ୍ୱାରା ପଂଜିକୃତ ଏବଂ ସ୍ବୀକୃତୀପ୍ରାପ୍ତ ରୋଷେୟାଙ୍କୁ ମହାପ୍ରସାଦ ବିକ୍ରୟ କରିବାକୁ ଅନୁମତି ଦିଆଯିବ। ଯାହାଦ୍ୱାରା ମହାପ୍ରସାଦର ପବିତ୍ରତା ନିଶ୍ଚିତ ହେବ। ସେହିପରି ଶ୍ରଦ୍ଧାଳୁଙ୍କ ପ୍ରତି ବ୍ୟବହାର ଏବଂ ଆଚରଣ ମଧ୍ୟ ତୀକ୍ଷ୍ଣ ନଜର ରଖାଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

ତେବେ ମହାପ୍ରସାଦ ଏବଂ ଅନ୍ୟାନ୍ୟ ପ୍ରସାଦ ବିକ୍ରୟ ଆନନ୍ଦ ବଜାର ମଧ୍ୟରେ ନିର୍ମିତ ଅଞ୍ଚଳରେ ସୀମିତ ରହିବ। ମନ୍ଦିରରୁ ବାହାରୁଥିବା ପ୍ରସାଦ ବ୍ୟତୀତ ଅନ୍ୟ କୌଣସି ଖାଦ୍ୟ ପଦାର୍ଥ ଆନନ୍ଦ ବଜାରରେ ବିକ୍ରୟ ପାଇଁ ଅନୁମତି ଦିଆଯିବ ନାହିଁ। ଯଦି ଆବଶ୍ୟକ ହୁଏ, ମନ୍ଦିର ପ୍ରଶାସନ କୌଣସି ଦ୍ୱନ୍ଦ୍ୱ କିମ୍ବା ଉଲ୍ଲଂଘନକୁ ଏଡାଇବା ପାଇଁ ପ୍ରାଧିକୃତ ରୋଷେୟାମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିବ ବୋଲି ଅଧିକାରୀ କହିଛନ୍ତି।

Share