Categories: ଜାତୀୟ

ପୂର୍ବତନ କଂଗ୍ରେସ ବିଧାୟକଙ୍କୁ ଗୁଳି କରି ହତ୍ୟା, ମ୍ୟାନମାର ସୀମାରେ ଉଗ୍ରବାଦୀଙ୍କ ହେଲେ ଶିକାର

ଇଟାନଗର,୧୭।୧୨: ଅରୁଣାଞ୍ଚଳ ପ୍ରଦେଶରେ ପୂର୍ବତନ କଂଗ୍ରେସ ବିଧାୟକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବିଧାୟକ ୟୁମସେନ ମ୍ୟାତେଙ୍କୁ ତିରପ ଜିଲାର ଲାଜୁ ସର୍କଲରେ ଭାରତ-ମ୍ୟାନମାର ସୀମା ନିକଟରେ ଉଗ୍ରବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି।
ରିପୋର୍ଟ ମୁତାବିକ, ମ୍ୟାତେଙ୍କ ହତ୍ୟା ରାହୋ ଗାଁରେ କରାଯାଇଛି। ଯାହା ଅର୍ନ୍ତରାଷ୍ଟ୍ରିୟ ସୀମା ଠାରୁ କିଛି ଦୂରରେ ରହିଛି। ସୂଚନା ଥାଉ କି, ମ୍ୟାତେ ତାଙ୍କର କିଛି କାର୍ଯ୍ୟକର୍ତ୍ତାଙ୍କ ସାଙ୍ଗରେ ରାହୋ ଗସ୍ତ କରିଥିଲେ।
ତିରପର ଏସପି ରାହୁଲ ଗୁପ୍ତା ଏନେଇ କହିଛନ୍ତି, କଂଗ୍ରେସର ପୂର୍ବ ବିଧାୟକ ମ୍ୟାତେ ତାଙ୍କର ୩ସମର୍ଥକଙ୍କ ସହ କିଛି ବ୍ୟକ୍ତିଗତ କାମରେ ଗାଁକୁ ଯାଇଥିଲେ। ଏହି ସମୟରେ ତାଙ୍କୁ କେହି ରାସ୍ତା ବତାଇବା ଆଳରେ ଜଙ୍ଗଲଆଡକୁ ନେଇଥିଲେ। ଜଙ୍ଗଲକୁ ନେଇ ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ତାଙ୍କ ଉପରକୁ ଗୁଳି ଚଳାଇ ଦେଇଥିଲେ। ତେବେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି। ଏକ ଜାତୀୟ ଗଣମାଧ୍ୟମନୁସାରେ ହତ୍ୟାରେ ଏନଏସସିଏନ-କଓ୍ବୋଇଏଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି।

ମ୍ୟାତେ ୨୦୦୯ରେ କଂଗ୍ରେସ ଟିକେଟରେ ଖୋଂସା ପଶ୍ଚିମ ବିଧାନସଭା କ୍ଷେତ୍ରରୁ ବିଧାୟକ ହୋଇଥିଲେ। ୨୦୧୫ରେ ସେ ଭାଜପାରେ ଯୋଗ ଦେଇଥିଲେ। ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସେ ବ୍ୟସକ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ।
ଅଧିକାରୀ ରିପୋର୍ଟ ଅନୁସାରେ, ମାର୍ଚ୍ଚ ୨୦୦୦ରୁ ମ୍ୟାନମାରରେ ଉଗ୍ରବାଦୀ ସମ୍ବନ୍ଧିତ ଘଟଣାରେ ୨୩୯ଜଣ ଓ ତିରାପ-ଚୋଙ୍ଗଲାଙ୍ଗ-ଲୋଙ୍ଗଡିଙ୍ଗରେ ୧୮୩ଜଣଙ୍କ ମୃତ୍ୟୁ ହୋଇଛି।

Share