ପୂର୍ବତନ ଜିଆରଏସ୍‌ଙ୍କୁ ୩ ବର୍ଷ ଜେଲ

ଫୁଲବାଣୀ, ୪ା୧୨(ରାକେଶ କୁମାର ରାଉତ): ଏକ ଲାଞ୍ଚ ନେବା ମାମଲାର ବିଚାର କରି ସୋମବାର ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ସମର ବିଳାସ ବେହେରାଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି।ଏଥିସହ ତାଙ୍କୁ ୫ ହଜାର ଜରିମାନା ଏବଂ ଅନାଦେୟ ଅଧିକ ୩ ମାସ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ସମର ବିଳାସ ହେଲେ ବୌଦ୍ଧ ଜିଲା କଣ୍ଟାମାଳର ବ୍ଲକ୍‌ ଘଣ୍ଟାପଡା ପଞ୍ଚାୟତର ପୂର୍ବତନ ଗ୍ରାମ ରୋଜଗାର ସେବକ(ଜିଆରଏସ୍‌) ପାଣ୍ଡବ ମହଲା।
ଉକ୍ତ ପଞ୍ଚାୟତରେ ରିସପାଲ ରଣାଙ୍କର ମାଟି ଘର ଥିଲା। ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟରେ ଆବେଦନ କରିବାକୁ ଯାଇଥିଲେ। ହେଲେ ତାଙ୍କ ନାମ ଲିଷ୍ଟରେ ଥିବା ଜାଣିବାକୁ ପାଇଥିଲେ। ଘର କାହିଁ କି ମିଳୁନାହିଁ ବୋଲି ପଚାରିବାରୁ କେହି ଜଣେ ତାଙ୍କୁ ଜିଆରଏସ୍‌ ମହଲାଙ୍କୁ ଦେଖା କରିବାକୁ କହିଥିଲେ। ରଣା ତାଙ୍କୁ ଯାଇ ଭେଟିବାରୁ ୨୦ ହଜାର ଟଙ୍କା ଦେଲେ ଘର ମିଳିବ ବୋଲି କହିଥିଲେ। ଏଥିରେ ରଣା ରାଜି ନ ହେବାକୁ ୧୫ ହଜାର ଦେଲେ କାମ ହେବ ନ ହେଲେ ଫାଇଲ ଆଗକୁ ବଢ଼ିବ ନାହିଁ ବୋଲି ଜିଆରଏସ୍‌ କହିଥିଲେ। ରଣା ଏ ନେଇ ୨୦୧୯ ଅକ୍ଟୋବର ୨୧ରେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ୨୨ ତାରିଖରେ ଜିଆରଏସ୍‌ ମହଲା ତାଙ୍କ କାର୍ଯ୍ୟାଳୟରେ ଲାଞ୍ଚ ଗ୍ରହଣ କରିଥିଲେ। ସେଠାରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ କର୍ମଚାରୀ ତାଙ୍କୁ ଗିରଫ କରିଥିଲେ। ଏ ନେଇ ଭିଜିଲାନ୍ସରେ ୨୯/୧୯ରେ ମାମଲା ରୁଜୁ ହୋଇଥିଲା। ମୋଟ ୧୩ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭିଜିଲାନ୍ସ ପିପି ଭି.ଭି ରାମଦାସ ମାମଲା ପରିଚାଳନା କରୁଥିଲେ।