Categories: ବାଣିଜ୍ୟ

ପୂର୍ବତନ ବିଚାରପତିଙ୍କୁ ଖରାପ ସିଟ୍‌ ଦେବା ପଡିଲା ମହଙ୍ଗା: ୨୩ ଲକ୍ଷ ଟଙ୍କା ଜୋରିମନା ଦେବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୧୯।୧: ବିମାନ ଯାତ୍ରା ସମୟରେ ପୂର୍ବତନ ବିଚାରପତିଙ୍କୁ ଖରାପ ସିଟ୍‌ ଦେବା ଏୟାର ଇଣ୍ଡିଆ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ବିମାନ କମ୍ପାନୀକୁ ପୂର୍ବତନ ବିଚାରପତିଙ୍କୁ ୨୩ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପଡିବ। ରାଜ୍ୟ ଗ୍ରାହକ ଆୟୋଗ ଏହି ନିର୍ଦ୍ଦେଶ ଦେଇଛନ୍ତି।
ହାଇକୋର୍ଟର ପୂର୍ବତନ ଜଷ୍ଟିସ ରାଜେଶ ଚନ୍ଦ୍ର ତାଙ୍କ ସ୍ତ୍ରୀ ରେଖା ଅଗ୍ରୱାଲଙ୍କ ସହ ଦିଲ୍ଲୀରୁ ସାନ ଫ୍ରାନ୍ସିସ୍କୋ ପର୍ଯ୍ୟନ୍ତ ଏୟାର ଇଣ୍ଡିଆରେ ୧.୮୯ ଲକ୍ଷ ଟଙ୍କାରେ ଦୁଇଟି ସିଟ ବୁକ କରିଥିଲେ। ସେ ଜୁନ ୧୪, ୨୦୨୨ରେ ଯିବାର ଥିଲା।
ଦୀର୍ଘ ଯାତ୍ରା ହେତୁ ସେ ଅତିରିକ୍ତ ୧.୨୪ ଲକ୍ଷ ଟଙ୍କା ଦେଇ ଏକ ବିଜ୍‌ନେସ୍‌ କ୍ଲାସ୍‌ ଟିକେଟ ପାଇଥିଲେ। ଉଡ଼ାଣ ସମୟରେ ସିଟ୍‌ଟି ତ୍ରୁଟିପୂର୍ଣ୍ଣ ବୋଲି ଜଣାପଡିଥିଲା। ସେ ଅନ୍ୟ ଏକ ସିଟ୍‌ ମାଗିଥିଲେ ମଧ୍ୟ ଗୋଟିଏ ସିଟ୍‌ ଦିଆଯାଇ ନ ଥିଲା। ଏହା ଅସୁସ୍ଥ ଦମ୍ପତିଙ୍କ ଯାତ୍ରାକୁ ଯନ୍ତ୍ରଣାଦାୟକ କରିଥିଲା।
ଏୟାରଲାଇନ୍ସ ୧୦ ପ୍ରତିଶତ ସୁଧ ସହିତ ୧.୬୯ ଲକ୍ଷ ଟଙ୍କା ଅତିରିକ୍ତ ବିଜ୍‌ନେସ୍‌ କ୍ଲାସ୍‌ ଫି’ ଫେରସ୍ତ କରିଛି। ମାନସିକ ଏବଂ ଶାରୀରିକ ଯନ୍ତ୍ରଣା ପାଇଁ କ୍ଷତିପୂରଣ ହିସାବରେ ୨୦ ଲକ୍ଷ ଟଙ୍କା ଏବଂ ମୋକଦ୍ଦମା ଖର୍ଚ୍ଚ ଭାବରେ ୨୦ ହଜାର ଟଙ୍କା ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି ରାଶି ୪୫ ଦିନ ମଧ୍ୟରେ ଦେବାକୁ ପଡିବ।

Share