ନୂଆଦିଲ୍ଲୀ,୬।୩: ଚାରି ବର୍ଷ ପୂର୍ବେ ନମାମି ଗଙ୍ଗେ ପ୍ରୋଜେକ୍ଟ ମ୍ୟାନେଜର ଅଭିନାଭ ସିଙ୍ଗଲଙ୍କୁ ଅପହରଣ କରିନେଇଥିବା ଅଭିଯୋଗରେ ପୂର୍ବତନ ବାହୁବଳୀ ଏମ୍ପି ଧନଞ୍ଜୟ ସିଂଙ୍କୁ ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହାସହ ୫୦ ହଜାର ଟଙ୍କା ଜୋରିମନା କରାଯାଇଛି। ଫଳରେ ସେ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ।
ଅପହରଣ ଓ ନିର୍ଯାତନା ମାମଲାରେ କୋର୍ଟ ଧନଞ୍ଜୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏଥିସହ ଦଣ୍ଡବିଧାନ ଉପରେ ଶୁଣାଣି ପାଇଁ ମାର୍ଚ୍ଚ ୬ ତାରିଖ ଧାର୍ଯ୍ୟ କରାଯାଇଥିଲା।
ମୁଜାଫରନଗର ବାସିନ୍ଦା ଅଭିନାଭ ସିଙ୍ଗଲ ପୂର୍ବତନ ଏମ୍ପି ଧନଞ୍ଜୟ ସିଂ ଏବଂ ତାଙ୍କ ସହଯୋଗୀ ବିକ୍ରମଙ୍କ ବିରୋଧରେ ୧୦ ମେ, ୨୦୨୦ରେ ଲାଇନ ବଜାର ପୋଲିସ ଷ୍ଟେଶନରେ ଅପହରଣ, ନିର୍ଯାତନା ତଥା ଅନ୍ୟାନ୍ୟ ବିଭାଗରେ ଏଫଆଇଆର ଦାଖଲ କରିଥିଲେ। ସେଠାରେ ଅଭିଯୋଗକାରୀଙ୍କୁ ଏକ ଫର୍ଚୁନର କାରରେ ଅପହରଣ କରି ପୂର୍ବତନ ଏମ୍ପିଙ୍କ ବାସଭବନ ମୋହଲ୍ଲା କାଲିକଟ୍ଟୀକୁ ନିଆଯାଇଥିଲା। ସେଠାରେ ଧନଞ୍ଜୟ ସିଂ ଏକ ପିସ୍ତଲ ନେଇ ଆସି ନିମ୍ନମାନର ସାମଗ୍ରୀ ଯୋଗାଇବା ପାଇଁ ଅଭିଯୋଗକାରୀଙ୍କ ଫାର୍ମକୁ ଦୁର୍ବ୍ୟବହାର କରିବା ସହ ଚାପ ପ୍ରୟୋଗ କରିଥିଲେ।