ଲକ୍ଷ୍ନୌ,୬ା୧୧: ଉତ୍ତରପ୍ରଦେଶର କାନପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ତାଙ୍କର ୮୦ ବର୍ଷୀୟ ପିତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ପିତା ତାଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଟିଭି ଦେଖିବାକୁ ମନା କରିବାରୁ ସେ ଏପରି କାଣ୍ଡ ଘଟାଇଛନ୍ତି।
ପୋଲିସ ସୂଚନାନୁଯାୟୀ, ସେନାର ଅବସରପ୍ରାପ୍ତ କର୍ମଚାରୁ ଅଶୋକ କଟିହାର ତାଙ୍କ ପିତା ଲାଲା ରାମଙ୍କ ମଧ୍ୟରେ ଗୁରୁବାର ରାତିରେ ଟିଭି ବନ୍ଦ କରିବାକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଅଶୋକ ପିତାଙ୍କୁ ଗୁଳି କରିଦେଇଥିଲେ। ଏହି ଘଟଣାରେ ଏଏସ୍ପି ଅନୁପ କୁମାର କହିଛନ୍ତି, ଅଶୋକ ପିତାଙ୍କୁ ଧକ୍କା ମାରିବା ପରେ ସେତିକିରେ ମନ ଥଣ୍ଡା ପଡ଼ି ନ ଥିଲା। ଶେଷରେ ଗୁଳି କରି ଦେଇଥିଲେ। ଏହି ଘଟଣା ପରେ ଅଶୋକ ଫେରାର ହୋଇଯାଇଛନ୍ତି। ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଅଶୋକଙ୍କୁ ଖୋଜୁଛି।