ନିଜ ସ୍କୁଲରେ ହେବ ପରୀକ୍ଷା

କଟକ ଅଫିସ,୨୧।୧୦: ଚଳିତ ବର୍ଷ ନୂତନ ଢାଞ୍ଚାରେ ପରୀକ୍ଷା ଦେବେ ନବମ ଶ୍ରେଣୀ ଛାତ୍ରୀଛାତ୍ର। ନଭେମ୍ବର ୨୨ରୁ ନବମ ଶ୍ରେଣୀର ସମେଟିଭ୍‌-୧ ପରୀକ୍ଷା ଆରମ୍ଭ ହେବ। ଏ ନେଇ ଗୁରୁବାର ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନଭେମ୍ବର ୨୨ରୁ ପରୀକ୍ଷା ଆରମ୍ଭ ହୋଇ ୨୪ର ଶେଷ ହେବ। ଏଥିରେ ୪୦ ମାର୍କର ପରୀକ୍ଷା ହେବ। ସେଥିମଧ୍ୟରୁ ୨୦ମାର୍କର ସବ୍‌ଜେକ୍ଟିଭ୍‌ ଓ ୨୦ମାର୍କର ଅବ୍‌ଜେକ୍ଟିଭ୍‌ ପରୀକ୍ଷା କରାଯିବ। ୨ଟି ସିଟିଂରେ ପରୀକ୍ଷା କରାଯିବ। ପ୍ରାଇମ ସିଟିଂ ସକାଳ ୯ଟାରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଓ ଦ୍ୱିତୀୟ ସିଟିଂ ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିବ। ୨୨ତାରିଖରେ ପ୍ରଥମ ସିଟିଂରେ ଦ୍ୱିତୀୟ ଭାଷା ଓ ଦ୍ୱିତୀୟ ସିଟିଂରେ ସମାଜିକ ବିଜ୍ଞାନ ପରୀକ୍ଷା ହେବାକୁ ଥିବା ବେଳେ ୨୩ ତାରିଖରେ ପ୍ରଥମ ସିଟିଂରେ ପ୍ରଥମ ଭାଷା ଓ ଦ୍ୱିତୀୟ ସିଟିଂରେ ଗଣିତ ପରୀକ୍ଷା କରାଯିବ। ସେହିପରି ୨୪ ତାରିଖରେ ପ୍ରଥମ ସିଟିଂରେ ତୃତୀୟ ଭାଷା ଓ ଦ୍ୱିତୀୟ ସିଟିଂରେ ସାଧାରଣ ବିଜ୍ଞାନ ପରୀକ୍ଷା ହେବ। ପରୀକ୍ଷା ପାଇଁ ପ୍ରଶ୍ନପତ୍ର ବୋର୍ଡ ପକ୍ଷରୁ ପ୍ରଦାନ କରାଯିବ। ନବମ ଶ୍ରେଣୀ ଛାତ୍ରୀଛାତ୍ରମାନେ ନିଜ ସ୍କୁଲରେ ପରୀକ୍ଷା ଦେବେ। କିନ୍ତୁ ଅନ୍ୟ ସ୍କୁଲରେ ଖାତା ମୂଲ୍ୟାୟନ କରାଯିବ। ତେବେ କେଉଁ ସ୍କୁଲରେ ଖାତା ଦେଖା ହେବ, ତାହା ଜିଲା ଶିକ୍ଷାଧିକାରୀ ଚୟନ କରିବେ। ନଭେମ୍ବର ୨୩ରୁ ୩୦ତାରିଖ ମଧ୍ୟରେ ଖାତାଦେଖା ହେବ। ଡିସେମ୍ବର ୨ତାରିଖ ସୁଦ୍ଧା ଖାତା ଦେଖାସରିବ। ପରେ ଡିସେମ୍ବର ୬ରୁ ୧୩ ତାରିଖ ମଧ୍ୟରେ ଅନ୍‌ଲାଇନ୍‌ ଟାବୁଲେସନ ରେଜିଷ୍ଟ୍ରାରରେ ମାର୍କ ଅପ୍‌ଲୋଡ୍‌ କରାଯିବ ବୋଲି ଗୁରୁବାର ବେର୍ଡ ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବୋର୍ଡ ସଭାତି ରାମାସିସ୍‌ ହାଜରା ସୂଚନା ଦେଇଛନ୍ତି। ତେବେ ଦଶମ ଶ୍ରେଣୀ ସମେଟିଭ୍‌ ପରୀକ୍ଷା ପାଇଁ ଖୁବ୍‌ଶୀଘ୍ର ତାରିଖ ଘୋଷଣା ହେବ। ନଭେମ୍ବର ଶେଷ କିମ୍ବା ଡିସେମ୍ବର ଆରମ୍ଭରୁ ଏହି ପରୀକ୍ଷା ହେବ ବୋଲି ବୋର୍ଡ ସଭାପତି କହିଛନ୍ତି।

Share