Categories: ଜାତୀୟ

ପ୍ରସ୍ତାବ ମାଗିଲା ପରୀକ୍ଷା ସଂସ୍କାର କମିଟି

ନୂଆଦିଲ୍ଲୀ,୨୯ା୬ (ପି.ଟି.): ସର୍ବଭାରତୀୟ ଏଣ୍ଟ୍ରାନ୍ସଗୁଡ଼ିକରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗକୁ ନେଇ ବିବାଦ ଲାଗିରହିଥିବାବେଳେ ପରୀକ୍ଷାରେ ସଂସ୍କାର ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଉଚ୍ଚ ସ୍ତରୀୟ କମିଟି ଶୁକ୍ରବାର କେନ୍ଦ୍ରର ଛାତ୍ରୀଛାତ୍ର, ଅଭିଭାବକଙ୍କ ସମେତ ପକ୍ଷମାନଙ୍କଠାରୁ ପ୍ରସ୍ତାବ ଆହ୍ବାନ କରିଛି। ଜୁଲାଇ ୭ ସୁଦ୍ଧା ପକ୍ଷମାନେ ପରୀକ୍ଷା ସଂସ୍କାର କମିଟି ନିକଟକୁ ନିଜ ନିଜ ପ୍ରସ୍ତାବ ପଠାଇପାରିବେ ବୋଲି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମେ’ ୫ରୁ ଅଦ୍ୟାବଧି ୫ରୁ ଊର୍ଦ୍ଧ୍ୱ ପରୀକ୍ଷାରେ ବିଭ୍ରାଟ ଦେଖାଦେଲାଣି। ଏଥିଯୋଗୁ ପ୍ରାୟ ୨ କୋଟି ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଥିବା ଅଭିଯୋଗ ଆଣି ଦେଶର ବିଭିନ୍ନ ଭାଗରେ ବିକ୍ଷୋଭ କରାଯାଉଛି। ଉତ୍ତେଜନାକୁ ପ୍ରଶମିତ କରିବା ପାଇଁ ସରକାର ନିକଟରେ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଡ. ଆର୍‌. ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଏକ ୭ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଥିଲେ। ଉକ୍ତ ପ୍ୟାନେଲ ପରୀକ୍ଷା ପ୍ରକ୍ରିୟା, ଡେଟା ସିକ୍ୟୁରିଟି ପ୍ରୋଟୋକଲକୁ ସୁଦୃଢ଼ କରିବା ଏବଂ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ)ର ଢାଞ୍ଚା ଓ କାର୍ଯ୍ୟର ସମୀକ୍ଷା କରିବା ପାଇଁ ଆବଶ୍ୟକ ସଂସ୍କାରମୂଳକ ପଦକ୍ଷେପ ନେଇ ଶିକ୍ଷା ମନ୍ତ୍ରଣାଳୟକୁ ସୁପାରିସ କରିବ। ଏଥିସକାଶେ ଜୁନ୍‌ ୨୭ରୁ ଜୁଲାଇ ୭ ମଧ୍ୟରେ ଷ୍ଟେକ୍‌ହୋଲ୍ଡର୍ସ ମାଇଁଗଭ୍‌ ପ୍ଲାଟ୍‌ଫର୍ମରେ ଅନ୍‌ଲାଇନ ଜରିଆରେ ପ୍ରସ୍ତାବ ଦେଇପାରିବେ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ରାଧାକ୍ରିଷ୍ଣନ କମିଟି ୨ ମାସ ମଧ୍ୟରେ ମନ୍ତ୍ରଣାଳୟରେ ରିପୋର୍ଟ ଦାଖଲ କରିବ।

Share