Categories: ଜାତୀୟ

ସୁଡ଼ଙ୍ଗ ଉପରୁ ଖନନ ଆରମ୍ଭ

ନୂଆଦିଲ୍ଲୀ,୨୭ା୧୧: ଉତ୍ତରାଖଣ୍ଡରେ ଭୁଶୁଡ଼ି ପଡ଼ିଥିବା ସିଲ୍‌କ୍ୟାରା ଟନେଲରେ ୪୧ ଶ୍ରମିକ ୧୫ ଦିନ ହେଲା ଫସିରହିଥିବାବେଳେ ସେମାନଙ୍କୁ ବାହାର କରିବା ପାଇଁ ଏତେଦିନ ହେଲା ଚାଲିଥିବା ସମାନ୍ତରାଳ ଖନନ ଫଳପ୍ରଦ ହୋଇପାରି ନାହିଁ। ଫଳରେ ରବିବାରଠାରୁ ପାହାଡ଼ ଉପରୁ ଖନନ ଆରମ୍ଭ ହୋଇଛି। ଉପରୁ ଖନନ କରାଗଲେ ୪ ଦିନରେ ଶ୍ରମିକମାନଙ୍କ ପାଖରେ ପହଞ୍ଚତ୍ ହେବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଉଦ୍ଧାର କାର୍ଯ୍ୟରେ ସେନାକୁ ନିୟୋଜିତ କରାଯାଇଛି।
ପୂର୍ବରୁ ଶକ୍ତିଶାଳୀ ଆମେରିକୀୟ ଡ୍ରିଲିଂ ମେଶିନ୍‌ରେ ସମାନ୍ତରାଳ ଖନନ କାର୍ଯ୍ୟ ସୁରୁଖୁରୁରେ ଚାଲିଥିବାବେଳେ ଖୁବ୍‌ଶୀଘ୍ର ଶ୍ରମିକମାନଙ୍କୁ ଉଦ୍ଧାର କରାଯିବା ଆଶା କରାଯାଉଥିଲା। ୪୬ ମିଟରରୁ ଅଧିକ ଦୂରତା ପର୍ଯ୍ୟନ୍ତ ଓସାରିଆ ଇସ୍ପାତ ପାଇପ୍‌ ଯାଇଥିଲା। ଆଉ ୧୦ରୁ ୧୨ ମିଟର ଖୋଳାଯାଇଥିଲେ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଥାନ୍ତା। ସେମାନଙ୍କ ଚିକିତ୍ସା ପାଇଁ ସୁଡ଼ଙ୍ଗ ନିକଟରେ ବହୁସଂଖ୍ୟାରେ ଆମ୍ବୁଲାନ୍ସ ପ୍ରସ୍ତୁତ ରହିଥିବାବେଳେ ହସ୍ପିଟାଲଗୁଡ଼ିକୁ ପ୍ରସ୍ତୁତ କରି ରଖାଯାଇଥିଲା। ହେଲେ ଖନନ ବେଳେ ଔଗର ଡ୍ରିଲିଂ ମେଶିନ୍‌ର ବ୍ଲେଡ୍‌ ଭାଙ୍ଗି ଭିତରେ ରହିଯିବାରୁ କାର୍ଯ୍ୟ ଅଟକି ରହିଥିଲା। ମାନୁଆଲ ମେଶିନ୍‌ରେ ଖୋଳିବା ସମୟସାପେକ୍ଷ ହୋଇଥିବାରୁ ଶେଷ ବିକଳ୍ପ ଭାବେ ଉପରୁ ଖୋଳିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ହାତ ମେଶିନରେ ଖନନ କାର୍ଯ୍ୟରେ ସହାୟତା ପାଇଁ ସେନାର ଏକ ଇଞ୍ଜିନିୟରିଂ ଗ୍ରୁପ୍‌ ‘ମାଡ୍ରାସ ସାପର୍ସ’ ଟନେଲ ନିକଟରେ ପହଞ୍ଚତ୍ଛନ୍ତି।

ଟନେଲ୍‌ ନିକଟରେ ଆବର୍ଜନା ଡମ୍ପିଂ ବିପଜ୍ଜନକ

୪୧ ଶ୍ରମିକଙ୍କୁ ଉଦ୍ଧାର କରିବା ଲାଗି ଦିନରାତି ଉଦ୍ୟମ ଜାରି ରହିଥିବାବେଳେ ଉକ୍ତ ଅଞ୍ଚଳ ବର୍ଜ୍ୟବସ୍ତୁର ପାହାଡ଼ରେ ପରିଣତ ହୋଇଥିବାରୁ ବିଶେଷଜ୍ଞମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସୁଡ଼ଙ୍ଗ ନିର୍ମାଣ ବେଳେ ବର୍ଜ୍ୟ ସାମଗ୍ରୀ ଗଦାହୋଇ ତାହା ପାହାଡ଼ର ରୂପ ନେଇଛି। ପର୍ବତ ପାର୍ଶ୍ୱରେ ଆବର୍ଜନାର ଏହି ବିଶାଳ ପାହାଡ଼କୁ ଅଟକାଇବା ପାଇଁ ସୁରକ୍ଷା ପାଚେରି ନ ଥିବାରୁ ପ୍ରବଳ ବର୍ଷାରେ ଏହା ଧୋଇ ଜନବସତି ଅଞ୍ଚଳକୁ ମାଡ଼ିଆସୁଛି। ଫଳରେ ପର୍ବତର ନିମ୍ନ ଭାଗରେ ରହୁତ୍ଥିବା ଲୋକମାନଙ୍କ ପାଇଁ ଏହା ବିପଜ୍ଜନକ ପାଲଟିଥିବା ଭୂତତ୍ତ୍ୱବିତ୍‌ ତଥା ଉତ୍ତରାଖଣ୍ଡ ଉଦ୍ୟାନକୃଷି ବିଶ୍ୱବିଦ୍ୟାଳୟର ପରିବେଶ ବିଜ୍ଞାନ ପ୍ରଫେସର ଡ. ଏସ୍‌.ପି. ସତୀ କହିଛନ୍ତି। ଏହି ବର୍ଜ୍ୟ ପାହାଡ଼ରୁ ଏକ ବିପର୍ଯ୍ୟୟର ପ୍ରତୀକ୍ଷା କରାଯାଉଛି। ଡମ୍ପିଂ ପାଇଁ ଥିବା ଗାଇଡ୍‌ଲାଇନର ଅନୁପାଳନ ହେଉ ନ ଥିବା ଉଦ୍‌ବେଗଜନକ ବୋଲି ଭୂତତ୍ତ୍ୱବିତ୍‌ ଚେତାଇ ଦେଇଛନ୍ତି।

Share