ପଦ୍ମପୁର, ୯।୫ (ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକର କୃଷ୍ଣପୁର, ବିରସ, ବିଦେଇପୁର, ନାୟକାଣିଡିହି, ବାଲିମେଦ, କମାରଗାଁ, ଏଡ଼ତାଳ, ବ୍ରାହ୍ମଣଗାଁ ଓ ସଦର ରାଜସ୍ବ ସର୍କଲରେ ବେଆଇନ ଭାବେ ମାଟି ଖୋଳା ଚାଲିଥିବା ଅଭିଯୋଗ ହେଉଛି। ଜେସିବି ଲଗାଇ ଯିଏ ଯେଉଁଠି ପାରିଲେ ମନଇଚ୍ଛା ମାଟି ଖୋଳି ପକାଉଛନ୍ତି। ମାଟି ଖୋଳିବା ଲାଗି ନିର୍ଦ୍ଦିଷ୍ଟ ନିୟମ ରହିଛି। ସରକାରୀ ଓ ବେସରକାରୀ ଜମିରୁ ମାଟି ଉଠାଇବା ବା ଖୋଳିବା ପୂର୍ବରୁ ସ୍ଥାନୀୟ ରାଜସ୍ବ ନିରୀକ୍ଷକ କିମ୍ବା ତହସିଲଦାରଙ୍କଠାରୁ ରସିଦ୍ କାଟିବା କଥା। ହେଲେ ଏହି ନିୟମକୁ ଫୁ କରି ଚାଲିଛି ମାଟି ଖୋଳା। ପ୍ରତ୍ୟେହ ଶହ ଶହ ଟ୍ରାକ୍ଟରରେ ଖୋଳାଯାଇଥିବା ମାଟିକୁ ବୋହି ନେଉଛନ୍ତି। ମାଟି ଖୋଳିବା ବେଳେ ସରକାରୀ ଜାଗାକୁ ବି ଛାଡୁନାହାନ୍ତି। ଲକ୍ଷ୍ମୀଦାସପୁର ପଞ୍ଚାୟତର ଖେଡ଼ୁଆଳପୁରଠାରେ ଦଶମାଣି ପଦାରୁ କେତେଜଣ ବ୍ୟକ୍ତି ଜେସିବିରେ ମାଟି ଖୋଳି ନେଇଛନ୍ତି। ଏହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ପଦା ଗୃହପାଳିତ ପ୍ରାଣୀଙ୍କ ଚାରଣ ଭୂମି ହୋଇଥିବା ବେଳେ ମାଟି ଖୋଳି ଦେଲେ ଖାଦ୍ୟ ପାଇଁ ଅସୁବିଧାରେ ପଡ଼ିବେ। ପ୍ରଶାସନ ପକ୍ଷରୁ ଏଭଳି ବେଆଇନ ମାଟିଖୋଳାକୁ ବନ୍ଦ କରାଯିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ତହସିଲଦାର ଅନିତା ନାୟକଙ୍କୁ ପଚାରିବାରୁ ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।