ଗୋଚର ଜମିରେ ପୋଖରୀ ଖନନ

ରୂପସା, ୬।୨(ଡି.ଏନ.ଏ.):ବାଲେଶ୍ୱର ସଦର ଥାନା ହଳଦୀପଦା ଫାଣ୍ଡି ଅଧୀନ ଚଷାଖଣ୍ଡ ପଞ୍ଚାୟତ ପଦାବଡ଼ଗଁା ଗ୍ରାମରେ ବେଆଇନ ପୋଖରୀ ଖନନ ଯୋଗୁ ଉତ୍ତେଜନା ଦେଖାଦେଇଛି। ପଞ୍ଚାୟତ ହାଇସ୍କୁଲ ନିକଟରେ ଥିବା ଗୋଚର ଜମି ଓ ସର୍ବସାଧାରଣ ରାସ୍ତାରେ ହେଉଥିବା ଏମ୍‌ଜିଏନ୍‌ଆର୍‌ଇଜିଏ ଯୋଜନାରେ ଏହି ପୋଖରୀ ଖୋଳା କାର୍ଯ୍ୟ ନଁାରେ ଲକ୍ଷାଧିକ ଟଙ୍କା ଲୁଟ୍‌ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ସରକାରୀ ଜମିରେ ପୋଖରୀ ଖୋଳା ବନ୍ଦ ହେଉ ବୋଲି ଗ୍ରାମବାସୀ ଜିଲାପାଳ ଓ ରେମୁଣା ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିଲେ ହେଁ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ପଞ୍ଚାୟତ କର୍ତ୍ତୃପକ୍ଷ, ବିଭାଗୀୟ ଜେଇ ଓ ପ୍ରଧାନ ଶିକ୍ଷକଙ୍କ ସଲାସୁତୁରାରେ ବେଆଇନ ପୋଖରୀ ଖନନ ସହ ସରକାରୀ ଅର୍ଥ ହଡ଼ପ ହେଉଥିବା ଗ୍ରାମବାସୀ ବୃହସ୍ପତି ଦାସ, ଖଗେଶ୍ୱର ପରିଡ଼ା, ଦିବାକର ଚୌଧୁରୀ, ଜଗନ୍ନାଥ ବେହେରା, ବିଷ୍ଣୁପ୍ରିୟା ମହାନ୍ତି, କବିତା ରାଉତ, ହରେନ୍ଦ୍ର ନାରାୟଣ ଦାସ, କରୁଣାକର ଜେନା ପ୍ରମୁଖ ଜିଲାପାଳ ଓ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ବିଭାଗ ପକ୍ଷରୁ ମନମୁଖୀ ତଥା ଜବରଦସ୍ତ କାର୍ଯ୍ୟ ଚାଲୁ ଥିବାରୁ ଉତ୍ତେଜନା ଲାଗି ରହିଛି। ଏ ଦିଗରେ ତୁରନ୍ତ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରା ନ ଗଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି।