ଚେତିଲା ପ୍ରଶାସନ, ଖନନ କାର୍ଯ୍ୟ ବନ୍ଦ

ଭବାନୀପାଟଣା,୧୯।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବୋଣ୍ଡୋଗୁଡା ରତ୍ନପଥର ଖଣିକୁ ସ୍ଥାନୀୟ କିଛି ଲୋକ ବେଆଇନ ଭାବେ ଖନନ କରୁଥିବା ଘଟଣା ଗତ କିଛି ଦିନ ତଳେ ସାମାନାକୁ ଆସିଥିଲା। ଏଠାରେ ଟଙ୍କା ଲୋଭରେ ବିପଦଜନକ ଭାବେ ଅଞ୍ଚଳର ଶିଶୁଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ଖନନ ରେ ଲାଗିପଡିଥିଲେ। ପ୍ରତିଦିନ ସେମାନେ ଖନନ ସମୟରେ କିଛି ନା କିଛି ମୂଲ୍ୟବାନ ପଥର ପାଉଥିବାରୁ ତାକୁ ବିକ୍ରି କରି ବେଶ ଟଙ୍କା ପାଉଥିଲେ। ଏହି ଘଟଣାକୁ ନେଇ ଧରିତ୍ରୀ ସମେତ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ପ୍ରଶାସନ ଚେତିଛି। ଘଟଣାସ୍ଥଳ ସ୍ଥାନୀୟ ପୋଲିସ ଓ ଖଣି ବିଭାଗ ଅଧିକାରୀ ପହଞ୍ଚତ୍ ତଦନ୍ତ କରିବା ପରେ ବେଆଇନ ଖଣି ଖନନ ଏବେ ବନ୍ଦ ରହିଛି। ଏହି ବେଆଇନ ଖଣି ଖନନରେ ଅଞ୍ଚଳର ଜଣେ ସରକାରୀ ଶିକ୍ଷକ ମୁଖ୍ୟ କାର୍ପେଟଦାର ବୋଲି ଶୁଣିବାକୁ ମିଳୁଛି। ତାଙ୍କ ଇସାରାରେ ଏପରି ବେଆଇନ କାମ ଚାଲୁଥିଲା ବୋଲି ଅଭିଯୋଗ ହୋଇଛି। ଏହି ଶିକ୍ଷକଙ୍କ ଉପରେ ଭିଜିଲାନ୍ସ ବିଭାଗ ତଦନ୍ତ କଲେ ଅନେକ ଗୁମର ଫିଟିବ ବୋଲି ସାଧାରଣରେ ଆଲୋଚନା ହେଉଛି। ଅବଶ୍ୟ, ଜୁନାଗଡ଼ ପୋଲିସ ଏହି ଘଟଣାରେ କିଛି ଲୋକଙ୍କୁ ଗତ କିଛି ଦିନ ତଳେ ଥାନାକୁ ଡାକି ପଚରାଉଚୁରା କରି ନିଜ କାମ ସାରିଦେଇଛି। ଅନ୍ୟପଟେ ବୋଣ୍ଡୋଗୁଡା ଖଣି ଲିଜରେ ନେଇଥିବା ମାଣିକେଶରୀ ଜେମ୍ସ (ପି) ଏଲଟିଡି ପକ୍ଷରୁ ଜୁନାଗଡ଼ ଥାନରେ ଏତଲା ଦିଆଯାଇଛି। କମ୍ପାନୀ ପକ୍ଷରୁ ୨୦୨୧ରୁ ଆଗାମୀ ୩୦ ବର୍ଷ ପର୍ଯ୍ୟନ୍ତ ୨.୦୨୩ ଏକର ସ୍ଥାନରେ ଖଣି ଖନନ ପାଇଁ ଲିଜ ନିଆଯାଇଛି। ହେଲେ ସ୍ଥାନୀୟ ଅଞ୍ଚଳବାସୀ ଲିଜ ଅଞ୍ଚଳରେ ଧସେଇ ପଶି ବେଆଇନ ଭାବେ ଖନନ କରି ମୂଲ୍ୟବାନ ପଥର ଲୁଟ କରିନେଉ ଥିବା ଅଭିଯୋଗ କରିଛନ୍ତି। ଏପରିକି ସେଠାରେ ଥିବା ଗାର୍ଡ ସେମାନଙ୍କୁ ମନା କଲେ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଉଥିବା ପତ୍ରରେ ଉଲ୍ଲେଖ କରିଛନ୍ତି। ବେଆଇନ ଖଣି ଖନନ କରୁଥିବା ଲୋକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେଇ ଏହି ଖଣି ସୁରକ୍ଷିତ ରଖିବା ପାଇଁ ନିବେଦନ କରାଯାଇଛି।

Share