Categories: ବାଣିଜ୍ୟ

ଟିଏସ୍‌ଏମ୍‌ଏଲ୍‌କୁ ‘ଏକ୍ସିଲେନ୍ସ ଇନ୍‌ ବାୟୋଡାଇଭର୍ସିଟି ମ୍ୟାନେଜମେଣ୍ଟ’ ସମ୍ମାନ

ନୂଆଦିଲ୍ଲୀ,୧୧।୫: ଦେଶର ପ୍ରମୁଖ ଘରୋଇ ଶିଳ୍ପସଂସ୍ଥା ତଥା ଟାଟା ଗ୍ରୁପ୍‌ର ପ୍ରମୁଖ ଶିଳ୍ପ ପ୍ରତିଷ୍ଠାନ ଟାଟା ଷ୍ଟିଲ୍‌ ମାଇନିଂ ଲିମିଟେଡ୍‌ (ଟିଏସ୍‌ଏମ୍‌ଏଲ୍‌)କୁ ନିକଟରେ ଆଉ ଏକ ଜାତୀୟସ୍ତରର ସମ୍ମାନ ପ୍ରଦାନ କରାଯାଇଛି। ବିଶେଷକରି କମ୍ପାନୀ ତା’ର କାର୍ଯ୍ୟକ୍ଷେତ୍ରର ପାରିପାର୍ଶ୍ୱିକ ଅଞ୍ଚଳରେ ଜୈବ ବିବିଧତାର ସଂରକ୍ଷଣ ପାଇଁ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଥିବାରୁ ସିଆଇଆଇ ଆଇଟିସି ସଷ୍ଟେନେବିଲିଟି ଆୱାର୍ଡସ୍‌-୨୦୨୨ରେ ଟିଏସ୍‌ଏମ୍‌ଏଲ୍‌କୁ ‘ଏକି୍ସଲେନ୍ସ ଇନ୍‌ ବାୟୋଡାଇଭର୍ସିଟି ମ୍ୟାନେଜମେଣ୍ଟ’ ପୁରସ୍କାର ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ବୁଧବାର ନୂଆଦିଲ୍ଲୀରେ ଆୟୋଜିତ ଏକ ଭବ୍ୟ ସମାରୋହରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ୍‌ ଗଡ଼କରୀଙ୍କ ଠାରୁ ଟିଏସ୍‌ଏମ୍‌ଏଲ୍‌ର ବରିଷ୍ଠ ମହାପ୍ରବନ୍ଧକ ରାଜଶ୍ରୀ ପାଲିତ ଉକ୍ତ ପୁରସ୍କାର ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ, କମ୍ପାନୀର ପ୍ରଜାତୀୟ ଖାଦ୍ୟୋତ୍ସବ, ଗ୍ରୀନ୍‌ ଥେରାପି, ଜୈବକଳା ବିବିଧତା, ସୁକିନ୍ଦା ଇକୋରେସ୍‌, ପ୍ରଜାପତି ବଗିଚା (ବଟରଫ୍ଲାଏ ଗାର୍ଡେନ) ଓ ଔଷଧୀୟ ଉଦ୍ୟାନ ଭଳି ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମକୁ ବିଚାରକମାନେ ଖୁବ ପ୍ରଶଂସା କରିଛନ୍ତି। ଏ ସମ୍ପର୍କରେ ଟିଏସ୍‌ଏମ୍‌ଏଲ୍‌ର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସତିଜା କହିଛନ୍ତି, ଏଭଳି ଏକ ପୁରସ୍କାର ଗ୍ରହଣ କରି ଆମେ ବହୁତ ଖୁସି ଅଛୁ, ଯାହା ଟିଏସ୍‌ଏମ୍‌ଏଲ୍‌ରେ ଜୈବ ବିବିଧତାର ସଂରକ୍ଷଣ ଓ ନିରନ୍ତରତା ପରିଚାଳନା ପ୍ରତି ଥିବା ପ୍ରତିବଦ୍ଧତା ଦିଗରେ ଏକ ସ୍ବୀକୃତି ବୋଲି ସେ ମତପ୍ରକାଶ କରିଛନ୍ତି। ସେହିଭଳି ଏହି ପୁରସ୍କାର ଆମକୁ ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖିବା ପାଇଁ ଆହୁରି ଅନୁପ୍ରାଣିତ କରିବ। ଏପରିକି ଉକ୍ତ ପୁରସ୍କାର ଲାଗି ଆମକୁ ବିଚାରକୁ ନେଇଥିବାରୁ ବିଚାରକମାନଙ୍କୁ ମଧ୍ୟ ଆମେ କୃତଜ୍ଞତା ଜଣାଉଛୁ। ଅପରପକ୍ଷରେ ଜୈବ ବିବିଧତାର ସଂରକ୍ଷଣ ଓ ଉନ୍ନତି ହେଉଛି, ଟିଏସ୍‌ଏମ୍‌ଏଲ୍‌ର କର୍ପୋରେଟ୍‌ ରଣନୀତି ଓ ମୂଲ୍ୟବୋଧ ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ସବୁ ଗୁରୁତ୍ୱପୂର୍ଣ୍ଣ ଓ ପରିଚାଳନା ନିଷ୍ପତ୍ତିରେ ଜୈବ ବିବିଧତାକୁ ମୁଖ୍ୟସ୍ରୋତରେ ରଖିବାକୁ ଟିଏସ୍‌ଏମ୍‌ଏଲ୍‌ ସର୍ବଦା ଉଦ୍ୟମ କରି ଆସୁଛି।

 

Share