ଓଏଏସ୍‌ ସ୍ତରରେ ଅଦଳବଦଳ:ଇନ୍ଦ୍ରମଣି ତ୍ରିପାଠୀ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ

ଭୁବନେଶ୍ୱର, ୨।୬(ବ୍ୟୁରୋ):ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ଏ ନେଇ ମଙ୍ଗଳବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ ଥିବା ଇନ୍ଦ୍ରମଣି ତ୍ରିପାଠୀଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ତୁଷାରକାନ୍ତ ମହାନ୍ତିଙ୍କୁ ଲ୍ୟାଣ୍ଡ୍‌ ରେକର୍ଡସ ଆଣ୍ଡ୍‌ ସର୍ଭେର ନିର୍ଦ୍ଦେଶକ, ମନୋଜ କୁମାର ମହାନ୍ତିଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ, ବିଜୟ କୁମାର ଦାସଙ୍କୁ ଇଡ୍‌କୋ ସିଜିଏମ୍‌ (ଲ୍ୟାଣ୍ଡ୍‌) ଏବଂ ରତ୍ନାକର ସାହୁଙ୍କୁ ନବରଙ୍ଗପୁର ଏଡିଏମ୍‌ ଭାବେ ନିଯୁକ୍ତି ଦିଆଯାଇଛି। ସୂଚନାଯୋଗ୍ୟ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ସୋମବାର ଅବସର ନେଇଥିଲେ। ଏହାପରେ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ନିରଞ୍ଜନ ସେଠୀଙ୍କୁ ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶ ପାଇବା ପର୍ଯ୍ୟନ୍ତ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଥିଲା। ଏହି କ୍ରମରେ ନିରଞ୍ଜନ ସେଠୀ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଥିଲେ।

Share