ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର ୧୫।୯(ବ୍ୟୁରୋ): ରାଜ୍ୟ ସରକାର ସୋମବାର ଓଏଏସ୍‌ ଅଫିସର ସ୍ତରରେ ଏକ ବଡଧରଣର ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ, ପଞ୍ଚାୟତିରାଜ ଓ ରାଜସ୍ବ ବିଭାଗ ପକ୍ଷରୁ ଏନେଇ ପୃଥକ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଅତିରିକ୍ତ ସଚିବ ଓ ଯୁଗ୍ମ ସଚିବ ପାହ୍ୟାର ୪ଜଣ ବରିଷ୍ଠ ଓଏଏସ୍‌ ଅଫିସରଙ୍କୁ ବଦଳି କରାଯାଇଥିବା ବେଳେ ୩ ଜଣଙ୍କ ବଦଳି ବାତିଲ ହୋଇଛି। ଆଲୋକ କୁମାର କର ସ୍କୁଲ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ, ସୂର୍ଯ୍ୟନାରାୟଣ ଦାସଙ୍କୁ ସୁବର୍ଣ୍ଣପୁର ଅତିରିକ୍ତ ଜିଲାପାଳ, ଶତ୍ରୁଘ୍ନ କର ଅତିରିକ୍ତ ଜିଲାପାଳ ମୟୂରଭଞ୍ଜ, ଭବେଶ କୁମାର ନାୟକ ମୟୂରଭଞ୍ଜ ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି ହୋଇଥିବା ବେଳେ ବରିଷ୍ଠ ଓଏଏସ୍‌ ଅଫିସର କୃଷ୍ଣପ୍ରସାଦ ପତି, ମୋହନ ଚରଣ ଦାସ ଓ ନିତ୍ୟାନନ୍ଦ ବାରିକଙ୍କ ବଦଳି ନିର୍ଦ୍ଦେଶକୁ ବାତିଲ କରାଯାଇଛି। ସେହିପରି ପଞ୍ଚାୟତିରାଜ ବିଭାଗ ବିଜ୍ଞପ୍ତି ଅନୁସାରେ ୧୨ଜଣ ଓଏଏସ୍‌ ଅଫିସରଙ୍କୁ ବିଭିନ୍ନ ବ୍ଲକର ବିଡିଓ ଭାବେ ନିଯୁକ୍ତି ମିଳିଛି। ସେହିପରି ୨୨ଜଣ ଓଆର୍‌ଏସ୍‌ ଅଫିସରଙ୍କୁ ପଦୋନ୍ନତି ଦିଆଯାଇ ଓଏଏସ୍‌ ଅଫିସର ଭାବେ ବିଭିନ୍ନ ସ୍ଥାନରେ ତହସିଲଦାର ଓ ବିଡିଓ ଭାବେ ନିଯୁକ୍ତି ମିଳିଛି।

Share