Categories: ଜାତୀୟ

୬ ବର୍ଷରେ ପେଟ୍ରୋଲ ଉପରେ ଦୁଇ ଗୁଣ ଟିକସ

ନୂଆଦିଲ୍ଲୀ,୨୫।୭: ଗତ ୬ ବର୍ଷରେ ପେଟ୍ରୋଲ ଉପରେ କେନ୍ଦ୍ରୀୟ ଉତ୍ପାଦ ଟିକସ ପ୍ରାୟ ଦୁଇ ଗୁଣ ବଢ଼ି ୮୮ ପ୍ରତିଶତରେ ପହଞ୍ଚିଛି। ଏହି କାରଣରୁ ସାରା ଦେଶରେ ୧୦୦ ଟଙ୍କା ଅତିକ୍ରମ କରିଛି ଲିଟର ପିଛା ପେଟ୍ରୋଲ ଦର। ସମାନ ସମୟ ମଧ୍ୟରେ ଡିଜେଲ୍‌ କ୍ଷେତ୍ରରେ କେନ୍ଦ୍ରୀୟ ଟିକସ ୩ ଗୁଣ ବୃଦ୍ଧି ପାଇଛି।

ଚଳିତ ମାସ ୧ ତାରିଖ ସୁଦ୍ଧା ପେଟ୍ରୋଲ ଲିଟର ପିଛା ଟିକସ ବାବଦକୁ କେନ୍ଦ୍ର ସରକାର ନେଉଛନ୍ତି ୩୨ ଟଙ୍କା ୯୦ ପଇସା। ଏଥିରେ ସାମିଲ ରହିଛି ସେସ୍‌ (ଉପ ଟିକସ) । ଠିକ୍‌ ୬ ବର୍ଷ ତଳେ ସେସ୍‌କୁ ମିଶାଇ ପେଟ୍ରୋଲ ଉପରେ ଏକ୍ସାଇଜ ଡ୍ୟୁଟି ବାବଦକୁ ନିଆଯାଉଥିଲା ୧୭ ଟଙ୍କା ୪୬ ପଇସା। ଏହା ଦର୍ଶାଉଛି ଗତ ୬ ବର୍ଷରେ ପେଟ୍ରୋଲ ଉପରେ ଟିକସ ଦୁଇ ଗୁଣ ବୃଦ୍ଧି ପାଇଛି।

ସମାନ ସମୟ ମଧ୍ୟରେ ଡିଜେଲ ଉପରେ ଲଗାଯାଉଥିବା ଟିକସ ୨୦୯ ପ୍ରତିଶତ ବଢ଼ିଛି। ୨୦୧୫, ଜୁଲାଇ ୧ ସୁଦ୍ଧା ଡିଜେଲ ଉପରେ ୧୦.୨୬ ଟଙ୍କା ନିଆଯାଉଥିବାବେଳେ ଏବେ ଲୋକଙ୍କୁ ଲିଟର ପିଛା ଗଣିବାକୁ ପଡ଼ୁଛି ୩୧ ଟଙ୍କା ୮୦ ପଇସା।

Share