ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା

ପାପଡ଼ାହାଣ୍ଡି,୧୬।୧୦(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମୋକିଆ ଗ୍ରାମରେ ଜବରଦଖଲ ଉଚ୍ଛେଦବେଳେ ଶୁକ୍ରବାର ଉତ୍ତେଜନା ଦେଖାଦେଇଛି। ପଞ୍ଚାୟତ ଜାଗାରେ ଅବୈଧ ଷ୍ଟଲ୍‌ ନିର୍ମାଣ ଓ ନାଳ ଉପରେ ଦୋକାନ ଘରକୁ ପ୍ରଶାସନ ଭାଙ୍ଗିଦେଇଛି। ଦୀର୍ଘଦିନ ଧରି ଜବରଦଖଲ କରି ରଖିଥିବା ବ୍ୟକ୍ତିଙ୍କୁ ପ୍ରଶାସନ ତାଗିଦ କରି ଫେରିଛି।
ସୂଚନା ମୁତାବକ ମୋକିଆ ମାର୍କେଟ ଛକ ନିକଟରେ ରାସ୍ତା କିସମ ଜାଗାରେ ଏକ ବେଆଇନ ଷ୍ଟଲ୍‌ ନିର୍ମାଣ କରାଯାଇଥିଲା। ଦଶମୁ ହରିଜନ ଏହି ଷ୍ଟଲ୍‌ କରି ଦୋକାନ ଚଳାଇଥିଲେ। ସେହିପରି କୁନି ନାୟକ ନାମକ ଜଣେ ମହିଳା ରାସ୍ତା ପାର୍ଶ୍ୱରେ ଥିବା ନାଳ ଉପରେ ଦୋକାନ ନିର୍ମାଣ କରିଥିଲେ। ଏ ନେଇ ସରପଞ୍ଚ ଜଗଜ୍ଜୀବନ ନାୟକ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଜଣାଇଥିଲେ। ସେମାନେ ଏଭଳି ଦୋକାନ କରିବା ଦ୍ୱାରା ମାର୍କେଟ ଲୋକ ଏବଂ ବ୍ୟବସାୟୀଙ୍କୁ ସମସ୍ୟା ହେଉଥିବା ନେଇ ଅଭିଯୋଗ କରିଥିଲେ ସରପଞ୍ଚ। ଏହାପରେ ଜାଗା ଖାଲି କରିବା ନେଇ ତହସିଲ ପକ୍ଷରୁ ନୋଟିସ କରାଯାଇଥିଲା। କିନ୍ତୁ ଉଭୟ ଦୋକାନୀ ନୋଟିସକୁ ବେଖାତିର କରି ଚାଲିଥିଲେ। ଶୁକ୍ରବାର ତହସିଲଦାର ଯୋଗେଶ୍ୱର ଭୋଇ, ପାପଡ଼ାହାଣ୍ଡି ଥାନାଧିକାରୀ ରାମେଶ୍ୱର ପ୍ରଧାନ, ଅତିରିକ୍ତ ତହସିଲଦାର ମଧୁସୂଦନ ମାଝି, ସୁପରଭାଇଜର ଦେବେନ୍ଦ୍ର ମାଝି, ଆର୍‌ଆଇ ଦହଣା ପୂଜାରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ଦୋକାନ ଖାଲି କରିବା ଲାଗି କହିଥିଲେ। କିନ୍ତୁ ଦୋକାନୀ ୨ଜଣ ଏହାର ପ୍ରତିବାଦ କରିଥିଲେ। ପାଟିତୁଣ୍ଡ ସହ ଉତ୍ତେଜନା ଦେଖାଦେଇଥିଲା। କର୍ମଚାରୀଙ୍କ ସହ ଟଣାଓଟଣା ମଧ୍ୟ ହୋଇଥିଲା। ପରେ ପୋକ୍‌ଲିନ ସହାୟତାରେ ଦୋକାନ ଭଙ୍ଗାଯାଇଥିଲା। ଏହି ଜବରଦଖଲ ଉଚ୍ଛେଦବେଳେ ମୋକିଆ ସରପଞ୍ଚ, ଯୁଗଳ ବିଷୋୟୀ, ୱାର୍ଡମେମ୍ବର ମାଳତୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Share