Advertisement
Categories: ବାଣିଜ୍ୟ

ଶେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ,୫।୭ (ଅଭୟ ଦାଶ): କ୍ରମାଗତ ୪ର୍ଥ ଦିନ ଲାଗି ଭାରତୀୟ ଶେୟାର ବଜାରରେ ଉତ୍ସାହ ଜାରି ରହିଛି। ଏପରିକି ଘରୋଇ ପୁଞ୍ଜିବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ମଙ୍ଗଳବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନ୍‌ସେକ୍ସ ୨୭୪ ପଏଣ୍ଟ ବଢ଼ି ଥିବାବେଳେ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ନିଫ୍ଟି-୫୦ରେ ମଧ୍ୟ ୬୬ ପଏଣ୍ଟ ବୃଦ୍ଧି ଘଟିଥିବା ଷ୍ଟକ୍‌ ବଜାର ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷକରି ଏନ୍‌ବିଏଫ୍‌ସି ସେକ୍ଟରରେ କମ୍ପାନୀଗୁଡ଼ିକର ଷ୍ଟକ୍‌ରେ ବୃଦ୍ଧି ଦେଖିବାକୁ ମିଳିଥିଲାବେଳେ ଏଫ୍‌ଏମ୍‌ସିଜି ଏବଂ ଅଟୋ ସେକ୍ଟରର ଶେୟାରରେ ହ୍ରାସ ଦେଖିବାକୁ ମିଳିଛି। ଅପରପକ୍ଷରେ ଭାରତୀୟ ଶେୟାର ବଜାରର କାରବାର ବିଏସ୍‌ଇ ସେନ୍‌ସେକ୍ସ ରେ ୨୭୪ ପଏଣ୍ଟ ବଢ଼ି ୬୫,୪୭୯.୦୫ ଅଙ୍କରେ ବନ୍ଦ ହୋଇଥିଲାବେଳେ ଏନ୍‌ଏସ୍‌ଇ ନିଫ୍ଟିର ୬୬.୪୫ ପଏଣ୍ଟ ବୃଦ୍ଧି ହୋଇ ୧୯,୩୮୯.୦୦ ଅଙ୍କରେ କାରବାର ବନ୍ଦ କରିଥିଲା।
ଉଲ୍ଲେଖଯୋଗ୍ୟ, ଶେୟାର ବଜାରର ଉଭୟ ସ୍ମଲ୍‌ କ୍ୟାପ୍‌ ଓ ମିଡ୍‌ କ୍ୟାପ୍‌ଗୁଡ଼ିକରେ ୧୩ ପ୍ରମୁଖ ସେକ୍ଟୋରାଲ ସୂଚକାଙ୍କ ମଧ୍ୟରୁ ୮ଟିରେ ହ୍ରାସ ଦେଖିବାକୁ ମିଳିଛି। ସେହିଭଳି ବିଏସ୍‌ଇର ୩୦ଶେୟାର ବିଶିଷ୍ଟ ସେନ୍‌ସେକ୍ସର କମ୍ପାନୀଗୁଡ଼ିକ ମଧ୍ୟରେ ବଜାଜ ଫାଇନାନ୍ସର ଶେୟାର ସବୁଠୁ ଅଧିକ ୭.୭% ବୃଦ୍ଧି ପାଇଥିବା ବେଳେ ଭାରତୀ ଏୟାରଟେଲ, ଆକ୍ସିସ ବ୍ୟାଙ୍କ, ରିଲାଏନ୍ସ, ଟାଟା ଷ୍ଟିଲ୍‌ ଏବଂ ହିରୋ ମୋଟୋକର୍ପ ଭଳି ଅନେକ ନିବେଶକ କମ୍ପାନୀର ଶେୟାର ହ୍ରାସ ଘଟିଛି। ଏପରିକି ବଜାଜ ଫିନ୍‌ସର୍ଭ, ଟେକ୍‌ ମହିନ୍ଦ୍ରା, ସନ୍‌ଫାର୍ମା, ଏନ୍‌ଟିପିସି, ଟାଇଟାନ, ୱିପ୍ରୋ, ଟିସିଏସ୍‌, କୋଟାକ୍‌ ବ୍ୟାଙ୍କ, ଇନ୍‌ଫୋସିସ୍‌ ଆଇଟିସି, ଏଚ୍‌ସିଏଲ୍‌ଟେକ୍‌, ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଶେୟାର ଲାଭରେ ରହିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share