ନୂଆଦିଲ୍ଲୀ,୧୯ା୧୦: ଅନ୍ତର୍ଜାତୀୟ ସମସ୍ୟା ସାଙ୍ଗକୁ ଭାରତୀୟ ମୁଦ୍ରାର ଅବମୂଲ୍ୟାୟନ ଜାରି ସତ୍ତ୍ୱେ ଶେୟାର ବଜାର କାରବାର କ୍ରମାଗତ ୨ୟ ଦିନ ଲାଗି ଭଲ ରହିଛି। ଫଳରେ ଶେୟାର ବଜାରର ନିବେଶକଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ଦେଖାଯାଇଛି। କାରଣ ଗତ ସପ୍ତାହର କାରବାର ନିବେଶକଙ୍କୁ ଏକ ପ୍ରକାର ଆଶା ଓ ଆଶଙ୍କା ସହ ଅସ୍ଥିରତା ମଧ୍ୟରେ ଶେଷ ହୋଇଥିଲା। ଏପରିକି ଚଳିତ ସପ୍ତାହର ୨ୟ ଦିନର କାରବାର ଅନୁଯାୟୀ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ)ର ସେନ୍ସେକ୍ସ ୫୫୦ (୫୪୯.୬୨) ପଏଣ୍ଟ ବୃଦ୍ଧି ପାଇ ୫୮,୯୬୧ (୫୮,୯୬୦.୬୦) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ)ର ନିଫ୍ଟି-୫୦ରେ ମଧ୍ୟ ୧୭୫ (୧୭୫.୧୫) ପଏଣ୍ଟ ବଢ଼ି ୧୭,୪୮୭ (୧୭,୪୮୬.୯୫) ଅଙ୍କରେ ବନ୍ଦ ହୋଇଥିବା ଜଣାପଡ଼ିଛି। ମଙ୍ଗଳବାର ବ୍ୟାଙ୍କ, ଅଟୋ ଶିଳ୍ପ, ଆଇଟି ଏବଂ ଏଫ୍ଏମ୍ସିଜି ଭଳି କ୍ଷେତ୍ରର ନିବେଶକଙ୍କ ପାଇଁ ବଜାର ଫଳାଫଳ ଭଲ ରହିଥିଲା।