ନୂଆଦିଲ୍ଲୀ,୨୨ା୧୦: କ୍ରମାଗତ ୬ଷ୍ଠ ଦିନ ଲାଗି ଷ୍ଟକ୍ ବଜାର କାରବାର ଭଲ ରହିଛି। ଫଳରେ ଶେୟାର ବଜାରର ନିବେଶକଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ପରିଲକ୍ଷିତ ହୋଇଛି। ଏପରିକି ଚଳିତ ସପ୍ତାହର ୫ମ ଦିନର ବଜାର ଫଳାଫଳ ଅନୁଯାୟୀ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ) ର ସେନ୍ସେକ୍ସ ୧୦୪ (୧୦୪.୨୫) ପଏଣ୍ଟ ବୃଦ୍ଧି ପାଇ ୫୯,୩୦୭ (୫୯,୩୦୭.୧୫) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ) ର ନିଫ୍ଟି-୫୦ ରେ ମଧ୍ୟ ୧୨ (୧୨.୩୫) ପଏଣ୍ଟ ବଢ଼ି ୧୭,୫୭୬ (୧୭,୫୭୬.୩୦) ଅଙ୍କରେ ବଜାର ବନ୍ଦ ହୋଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ , ଗୁରୁବାର ଦଲାଲ ଷ୍ଟ୍ରିଟ୍ରେ ବିଶେଷକରି ବ୍ୟାଙ୍କ, ଅଟୋ ଶିଳ୍ପ, ଆଇଟି, ଏଫ୍ଏମ୍ସିଜି ଏବଂ ମେଟାଲ ଭଳି କ୍ଷେତ୍ରର ନିବେଶକଙ୍କ ପାଇଁ ବଜାର ଫଳାଫଳ ଭଲ ରହିଥିଲା। ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ ସମସ୍ୟା ସାଙ୍ଗକୁ ଭାରତୀୟ ମୁଦ୍ରାର ଅବମୂଲ୍ୟାୟନ ଜାରି ସତ୍ତ୍ୱେ ଶେୟାର ବଜାର କାରବାର ପୂର୍ବ ସପ୍ତାହ ଅପେକ୍ଷା ଭଲ ରହିଛି ବୋଲି ବଜାର ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।