Categories: ଖେଳ

ଉତ୍ସାହ ବଢୁଛି, କଳିଙ୍ଗ ପ୍ରସ୍ତୁତ

ଭୁବନେଶ୍ୱର, ୧୦।୧୦ (କ୍ରୀଡ଼ା ପ୍ରତିନିଧି):ଭାରତ ସମେତ ଓଡ଼ିଶାରେ ପ୍ରଥମଥର ପାଇଁ ହେବାକୁ ଯାଉଥିବା ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ପାଇଁ ଉତ୍ସାହ ବଢ଼ିବାରେ ଲାଗିଛି। ପ୍ରତିଯୋଗିତାର ଅନ୍ୟତମ ଭେନ୍ୟୁ କଳିଙ୍ଗ ଷ୍ଟାଡିୟମ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଭୁବନେଶ୍ୱରରେ ଫିଫାର ବାସ୍ନା ସ୍ପଷ୍ଟ ବାରି ହୋଇଯାଉଛି। ସଜେଇ ହେଉଛି ସହର। କଳିଙ୍ଗ ଷ୍ଟାଡିୟମ ପାର୍ଶ୍ୱବର୍ତ୍ତୀ ରାସ୍ତା ସହ ସହରର ବିଭିନ୍ନ ସ୍ଥାନରେ ପ୍ରତିଯୋଗିତାର ଲୋଗୋ ଏବଂ ମାସ୍କଟର ହୋର୍ଡିଂମାନ ଲାଗିଛି। ପୂର୍ବରୁ ହକି ବିଶ୍ୱକପ୍‌ ସମେତ ଡଜନେରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ସଫଳତାର ସହ ସମ୍ପନ୍ନ କରାଇଥିବା ରାଜ୍ୟ ସରକାର ଏଥର ମଧ୍ୟ ଟୁର୍ନାମେଣ୍ଟକୁ ସ୍ମରଣୀୟ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୧ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଫିଫା, ସର୍ବଭାରତୀୟ ଫୁଟବଲ ଫେଡେରେଶନର ଅଧିକାରୀମାନେ ଉପସ୍ଥିତ ରହିବାର ସୂଚନା ମିଳିଛି।

ଏହା ଏକ ମେଗା ପ୍ରତିଯୋଗିତା ହୋଇଥିବାରୁ ଭେନ୍ୟୁସ୍ଥଳ କଳିଙ୍ଗ ଷ୍ଟାଡିୟମ ସମେତ ୭ମ ବାଟାଲିୟନ ମଧ୍ୟରେ ୨ଟି ଏବଂ ୟୁନିଟ-୩ ଅଭ୍ୟାସ ପଡ଼ିଆକୁ ଫିଫା ଷ୍ଟାଣ୍ଡାର୍ଡର କରାଯାଇଛି। ଭାରତୀୟ ଦଳ ପୂର୍ବରୁ ଏଠାରେ ଟ୍ରେନିଂ ଜାରି ରଖିଥିବାବେଳେ ଇତିମଧ୍ୟରେ ବ୍ରାଜିଲ, ମରକ୍କୋ ଏବଂ ଆମେରିକା ଦଳ ଭୁବନେଶ୍ୱରରେ ପହଞ୍ଚତ୍ ନିଜ ପ୍ରସ୍ତୁତିକୁ ଅନ୍ତିମ ରୂପ ଦେଉଛନ୍ତି। ଭାରତ ସମେତ ଏହି ୩ଟି ଦଳ ଗ୍ରୁପ୍‌ ‘ଏ’ରେ ସ୍ଥାନ ପାଇଛନ୍ତି। ପ୍ରତି ଗ୍ରୁପ୍‌ରୁ ୨ଟି ଦଳ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହେବାର ନିୟମ ରହିଛି। ତେଣୁ ଭାରତ ମୁଖ୍ୟତଃ ଉଚ୍ଚର଼୍ୟାଙ୍କ୍‌ପ୍ରାପ୍ତ ବ୍ରାଜିଲ ଓ ଆମେରିକାଠାରୁ କଡ଼ା ଚ୍ୟାଲେଞ୍ଜ ପାଇବ। ଭାରତ ଭଳି ପ୍ରଥମଥର ପାଇଁ ଅଂଶଗ୍ରହଣ କରୁଥିବା ମରକ୍କୋ ଦଳ ମଧ୍ୟ ପ୍ରଦର୍ଶନର ଛାପ ଛାଡ଼ିବାକୁ ନିଶ୍ଚିତ ଚେଷ୍ଟା କରିବ।

ଭୁବନେଶ୍ୱର ବ୍ୟତୀତ ଗୋଆର ମାର୍ଗାଓ ଏବଂ ମହାରାଷ୍ଟ୍ରର ନଭି ମୁମ୍ବାଇରେ ପ୍ରତିଯୋଗିତାର ମ୍ୟାଚଗୁଡ଼ିକ ଆୟୋଜନ ହେବ। ଚଳିତ ମାସ ୧୧ ତାରିଖରୁ ଆରମ୍ଭ ହୋଇ ଏହି ଟୁର୍ନାମେଣ୍ଟ ୩୦ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିବସରେ କଳିଙ୍ଗ ଷ୍ଟାଡିୟମ ଏବଂ ମାର୍ଗାଓସ୍ଥିତ ପଣ୍ଡିତ ଜବାହରଲାଲ ନେହେରୁ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ। ୧୧ ତାରିଖରେ ଭୁବନେଶ୍ୱରରେ ମରକ୍କୋ-ବ୍ରାଜିଲ, ଭାରତ-ଆମେରିକା ଏବଂ ମାର୍ଗାଓରେ ଚିଲି-ନ୍ୟୁଜିଲାଣ୍ଡ ଓ ଜର୍ମାନୀ-ନାଇଜେରିଆ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଭାରତ ଏହାର ପରବର୍ତ୍ତୀ ୨ଟି ମ୍ୟାଚ ୧୪ରେ ମରକ୍କୋ ଓ ୧୭ରେ ବ୍ରାଜିଲ ସହିତ ଖେଳିବ। ଭାରତର ସମସ୍ତ ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ।

ଭାରତ କଡ଼ା ଚ୍ୟାଲେଞ୍ଜ ଦେବ: ଡେନର୍ବି

ଆସନ୍ତା ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଥିବା ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ପାଇଁ ଭାରତ ଅନ୍ୟତମ ଅଣ୍ଡରଡଗ୍‌ ଦଳ ବିବେଚିତ ହେଉଛି। ମାତ୍ର ମୁଖ୍ୟ କୋଚ୍‌ ଥୋମାସ ଡେନର୍ବି ନିଜ ଦଳର ପ୍ରଦର୍ଶନକୁ ନେଇ ଆତ୍ମବିଶ୍ୱାସରେ ଅଛନ୍ତି। ବ୍ରାଜିଲ ଓ ଆମେରିକାପରି ଶକ୍ତିଶାଳୀ ଦଳ ଗୁଡ଼ିକୁ ଭାରତ କଡ଼ା ଚ୍ୟାଲେଞ୍ଜ ଦେବ ବୋଲି ସେ ପ୍ରକାଶ କରିଛନ୍ତି। ଭାରତ ଏହାର ପ୍ରଥମ ମ୍ୟାଚରେ ଆମେରିକାକୁ ଭେଟିବ। ”ବିଶ୍ୱର ଶ୍ରେଷ୍ଠ ଦଳଗୁଡ଼ିକ ବିପକ୍ଷରେ ମଧ୍ୟ ଭାରତ ପ୍ରତିଦ୍ୱନ୍ଦ୍ୱିତା କରିପାରେ ବୋଲି ଦେଖାଇବାର ସମୟ ଆସିଛି। ବର୍ତ୍ତମାନ ଆମେ ଫଳାଫଳକୁ ଦେଖୁନାହୁଁ। ଭାରତୀୟ ବାଳିକାମାନେ ଫୁଟବଲ ଖେଳିପାରନ୍ତି ବୋଲି ପ୍ରଦର୍ଶନ ମାଧ୍ୟମରେ ଦେଖାଇବାକୁ ଚାହୁଁ। ଗ୍ରୁପ୍‌ ମଧ୍ୟରେ ଆମର ନିଜର କିଛି ଲକ୍ଷ୍ୟ ଅଛି। ଆମେ କଡ଼ା ଚ୍ୟାଲେଞ୍ଜ ଦେବାକୁ ପ୍ରସ୍ତୁତ। ଆମେରିକା ହେଉ କି ବ୍ରାଜିଲ କିମ୍ବା ମରକ୍କୋ ଆମେ ଗୋଲ ସ୍କୋର କରି ପଏଣ୍ଟ ହାସଲ କରିବାକୁ ଚାହୁଁ। ଆମେ ଏକ ଭଲ ଦଳବୋଲି ଭାରତୀୟ ପ୍ରଶଂସକଙ୍କୁ ଦେଖାଇବାକୁ ଚାହୁଁ“ ବୋଲି ଡେନର୍ବି ପ୍ରକାଶ କରିଛନ୍ତି।

Share