ଭୁବନେଶ୍ୱର,୨୬ା୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ମେୟର ଓ କର୍ପୋରେଟର ପଦ ପାଇଁ ଗୁରୁବାର ମତଦାନ ସରିଛି। ବିଜେବି କଲେଜ ଷ୍ଟ୍ରଙ୍ଗ୍ରୁମ୍ରେ ଇଭିଏମ୍କୁ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି। ଶନିବାର ଭୋଟ ଗଣତି ହେବାକୁ ଥିବାବେଳେ ଷ୍ଟ୍ରଙ୍ଗ୍ରୁମ୍ ସାମ୍ନାରେ ଶୁକ୍ରବାର ସନ୍ଧ୍ୟାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଭିତରକୁ କେତେଜଣ ବ୍ୟକ୍ତିଙ୍କ ପ୍ରବେଶ, ବାହାରେ ଲାଗିଥିବା ସିସିଟିଭି ଅସ୍ପଷ୍ଟ ହେବା ଓ ଇଭିଏମ୍କୁ ଟ୍ୟାମ୍ପେରିଂ କରାଯାଉଥିବା ଅଭିଯୋଗ ଆଣି ବିଭିନ୍ନ ଦଳର କର୍ମୀ ଏବଂ ସାଧାରଣ ଲୋକ ହୋହଲ୍ଲା କରିବା ସହ ପ୍ରବେଶ କରିଥିବା ଜଣେ ବ୍ୟକ୍ତିଙ୍କୁ ଧରି ନିସ୍ତୁକ ମାଡ଼ ମାରିଥିଲେ। ଘଟଣା ପ୍ରଚାରିତ ହେବା ପରେ ସେଠାରେ ଲୋକଙ୍କ ସମାଗମ ବଢ଼ିବା ସହ ସ୍ଥିତି ବିଗିଡି ଯାଇଥିଲା। ପୋଲିସ ଓ ରାଜନୈତିକ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ଏବଂ ମାର୍ପିଟ୍ ହୋଇଥିଲା। ଏପରି କି ଢେଲା ଓ ଲାଠି ମାଡ଼ରେ ଏୟାରପୋର୍ଟ ଥାନା ଅଧିକାରୀ ଉମାକାନ୍ତ ପ୍ରଧାନ, ଲିଙ୍ଗରାଜ ଥାନା ଅଧିକାରୀ ଶରତ ପାତ୍ରଙ୍କ ସମେତ ୯ରୁ ଊର୍ଦ୍ଧ୍ୱ ପୋଲିସ ଓ କର୍ମୀ ଆହତ ହୋଇଥିଲେ। ଦୀର୍ଘ ସମୟ ଧରି ସାଧାରଣ ଲୋକ ଓ ପୋଲିସ ମୁହାଁମୁହିଁ ରହିଥିଲା। ପରେ ପୋଲିସ ସ୍ଥିତି ନିୟନ୍ତ୍ରଣ କରିବା ସହ ପ୍ଲାଗ୍ମାର୍ଚ୍ଚ କରି ପୂରା ଅଞ୍ଚଳକୁ କର୍ଡ଼ନ ମଧ୍ୟରେ ରଖିଥିଲା। ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁ , ଡିସିପି ଉମାଶଙ୍କର ଦାଶ ପ୍ରମୁଖ ସ୍ଥିତି ଅନୁଧ୍ୟାନ କରିବା ସହ ଷ୍ଟ୍ରଙ୍ଗ୍ରୁମ୍ ଭିତରକୁ ଯାଇ ଯାଞ୍ଚ କରିଥିଲେ।