ରେଲଓ୍ବେ ପରୀକ୍ଷାର୍ଥୀଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରୁ ବାଦ୍‌ ଦିଅ

ଭୁବନେଶ୍ୱର,୩ା୩(ବ୍ୟୁରୋ): ଦେଶର ବିଭିନ୍ନ ରାଜ୍ୟରେ କୋଭିଡ୍‌ ସଂକ୍ରମଣ ପୁଣି ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରେଳଷ୍ଟେଶନ ଓ ବିମାନବନ୍ଦରରେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଅଧିକ ସଂକ୍ରମଣ ଥିବା ୧୨ ରାଜ୍ୟରୁ ଆସୁଥିବା ଯାତ୍ରୀମାନଙ୍କୁ ବାଧ୍ୟତାମୂଳକ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଉଛି। ତେବେ ମାର୍ଚ୍ଚ ୩ରୁ ୩୧ ତାରିଖ ମଧ୍ୟରେ ୧୦,୫୦୦ ପ୍ରାର୍ଥୀ ରେଲଓ୍ବେରେ ନିଯୁକ୍ତି ପାଇଁ ଭୁବନେଶ୍ୱରରେ ପରୀକ୍ଷା ଦେବେ। ସେମାନଙ୍କୁ ଆଡ୍‌ମିଟ କାର୍ଡ ବହୁ ଆଗରୁ ଯୋଗାଇ ଦିଆଯାଇଥିବା ରେଲଓ୍ବେ ରିକ୍ରୁଟ୍‌ମେଣ୍ଟ ବୋର୍ଡ ବିଳାସପୁର ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ସେହି ପ୍ରାର୍ଥୀମାନଙ୍କୁ ବାଧ୍ୟତାମୂଳକ ହୋମ୍‌ କ୍ୱାରାଣ୍ଟାଇନ୍‌ ନ କରିବାକୁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳ, ମହାନଗର ନିଗମ କମିଶନର, ବିଜୁ ପଟ୍ଟନାୟକ ବିମାନବନ୍ଦର, ଝାରସୁଗୁଡ଼ା ବିମାନବନ୍ଦର କର୍ତ୍ତୃପକ୍ଷ ଏବଂ ପୂର୍ବତଟ ରେଳପଥ ଜେନେରାଲ ମ୍ୟାନେଜର(ଅପରେଶନ)ଙ୍କୁ ଚିଠିଲେଖି ଜଣାଇ ଦିଆଯାଇଛି। ଯେଉଁ ପରୀକ୍ଷାର୍ଥୀ ପରୀକ୍ଷା ପରିଚୟପତ୍ର ଦେଖାଇବେ ସେମାନଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ ନ ପଠାଇବାକୁ କୁହାଯାଇଛି। ତେବେ ଅନ୍ୟାନ୍ୟ କୋଭିଡ୍‌ ଗାଇଡ୍‌ଲାଇନକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି।
ସଂକ୍ରମଣକୁ ଦେଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଫେବୃୟାରୀ ୨୭ ତାରିଖରେ ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କୁ ବାଧ୍ୟତାମୂଳକ ଭାବେ ୭ ଦିନିଆ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା।

Share