ଆମ ଶାସନ ଅନୁସାରେ କାର୍ଯ୍ୟପାଳିକା, ବ୍ୟବସ୍ଥାପକ ଓ ନ୍ୟାୟପାଳିକା ଗୋଟିଏ ଗୋଟିଏ ସୁଦୃଢ଼ ସ୍ତମ୍ଭ। ବ୍ୟବସ୍ଥାପକ ବା ବିଧାୟକ ଓ ସାଂସଦମାନେ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇଥାନ୍ତି ଓ ନିର୍ବାଚନ ସମୟରେ ଲୋକଙ୍କ ଇଚ୍ଛା ପୂରଣକରିବା ପାଇଁ ଦେଇଥିବା ଇସ୍ତାହାରକୁ ନେଇ ନୀତି ପ୍ରଣୟନ କରିଥାନ୍ତି। କାର୍ଯ୍ୟନିର୍ବାହୀ ଅର୍ଥାତ୍ ସରକାର ଓ ପ୍ରଶାସନ ମିଳିତଭାବେ ତାକୁ କାର୍ଯ୍ୟକାରୀ କରିବାକୁ କ୍ଷମତାପ୍ରାପ୍ତ ହୋଇଥାନ୍ତି। ଏହି କାମ କେତେ ଆଇନସିଦ୍ଧ ଏବଂ ସାମ୍ବିଧାନିକଭାବେ ହେଲା ତାହା ନ୍ୟାୟପାଳିକା ଦେଖିଥାନ୍ତି। ଏମାନଙ୍କ ଭିତରୁ କେହି ଯେମିତି ଅନ୍ୟର ବାଡ଼ ଟପି ନ ଯାଏ ସେଥିପାଇଁ କ୍ଷମତାବଣ୍ଟନ କରାଯାଇଛି ଏବଂ ପରସ୍ପର ପରସ୍ପରକୁ ଯେମିତି ନିୟନ୍ତ୍ରିତ କରିପାରିବେ ସେଥିପାଇଁ ବ୍ୟବସ୍ଥା ମଧ୍ୟ ଅଛି।
ମାତ୍ର ଏବେ ସେ କ୍ଷମତାବଣ୍ଟନ ପତ୍ରର ସନନ୍ଦ ଅନୁଯାୟୀ ସବୁକିଛି ଚାଲିପାରୁନାହିଁ ଭଳି ଅନୁଭୂତ ହୁଏ। ମଝିରେ ମଝିରେ ବ୍ୟବସ୍ଥାପକ ସାର୍ବଭୌମତ୍ୱ ଓ ନ୍ୟାୟିକ ଆଧିପତ୍ୟ ମଧ୍ୟରେ ସଂଘାତ ସୃଷ୍ଟିହେଉଛି। ବ୍ୟବସ୍ଥାପକ ଓ କାର୍ଯ୍ୟପାଳିକା ମଧ୍ୟରେ ବି ଟଣାଓଟରା ହେଉଛି। କାର୍ଯ୍ୟପାଳିକାରେ ଥିବା ଲୋକମାନେ ଅନେକ ସୁବିଧା ହାସଲ କରିଯାଉଛନ୍ତି ଭାବି ବ୍ୟବସ୍ଥାପକ ଓ ନ୍ୟାୟପାଳିକା ଯେଯାହାବାଟରେ ତା’ର ଗୋଡ଼ଟାଣୁଛନ୍ତି। ନ୍ୟାୟପାଳିକା ଛୋଟ ଛୋଟ କଥାରେ କାର୍ଯ୍ୟପାଳିକାକୁ ଆଣି କାଠଗଡାରେ ବ୍ୟକ୍ତିଗତ ହାଜିରା ପାଇଁ ଠିଆକରନ୍ତି। କୋର୍ଟ ଅବମାନନା ପାଇଁ ଦଣ୍ଡାଦେଶ କରନ୍ତି! ବ୍ୟବସ୍ଥାପକମାନେ ସେଇଭଳି ସେମାନଙ୍କର କାର୍ଯ୍ୟହାସଲ ପାଇଁ କାର୍ଯ୍ୟପାଳିକାକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟାକରିଥାନ୍ତି। ବ୍ରିଟିଶ ଶାସନରେ ବ୍ୟବସ୍ଥାପକସଭା ନ ଥିଲା କି ଲୋକପ୍ରତିନିଧି ନ ଥିଲେ। ସରକାର କହିଲେ ପ୍ରଶାସନକୁ ହିଁ ବୁଝାଉଥିଲା। ସେଇମାନେ ନିୟମ ପ୍ରଣୟନ କରୁଥିଲେ , ସେଇମାନେ ହିଁ ତାକୁ କାର୍ଯ୍ୟକାରୀ କରୁଥିଲେ। ମାତ୍ର ଭାରତ ସ୍ବାଧୀନ ହେଲା ପରେ ସରକାର ଓ ପ୍ରଶାସନ ଅଲଗା ଅଲଗା ସତ୍ତା ପାଲଟିଗଲେ।
ସରକାର କହିଲେ ଲୋକପ୍ରତିନିଧିମାନଙ୍କ ଦ୍ୱାରା ଶାସନ ପରିଚାଳନା ବ୍ୟବସ୍ଥାକୁ ବୁଝାଏ। ପ୍ରଶାସନ କହିଲେ ବେତନଭୋଗୀ ସରକାରୀ କର୍ମଚାରୀଙ୍କୁ ବୁଝାଏ। ଏ ଉଭୟ ସତ୍ତାଙ୍କର ଆଭିମୁଖ୍ୟ ଅଲଗା ଅଲଗା ହୋଇଗଲା। ସ୍ବାଧୀନ ଭାରତରେ ନୂଆକରି ହୋଇଥିବା ମନ୍ତ୍ରୀ ଓ ବିଧାୟକମାନେ ନିଜ କ୍ଷମତାର ପୂର୍ଣ୍ଣ ବିନିଯୋଗ କରିବାକୁ ଚାହିଁଲେ। ସେଇଠୁ ଆରମ୍ଭ ହେଲା କ୍ଷମତାହାସଲ ପାଇଁ ଟଣାଓଟରା। ଆଇଏଏସ୍ ଅଧିକାରୀମାନଙ୍କର ଏକଚାଟିଆ ଅଧିକାରକୁ ବରଦାସ୍ତକରିବାକୁ କିନ୍ତୁ ମନ୍ତ୍ରୀ ବିଧାୟକ ଓ ସାଂସଦ ଚାହିଁଲେ ନାହିଁ। ତେଣୁ ସେମାନେ ଅଧିକାରୀଙ୍କ ସ୍ବାଧୀନ ମତ ଓ ପରାମର୍ଶକୁ ଅନେକ ସମୟରେ ପ୍ରତ୍ୟାଖ୍ୟାନ କରିବାକୁ ଲାଗିଲେ। ପରିସ୍ଥିତି ଏମିତି ହେବାକୁ ଲାଗିଲା ଯେ ଗାନ୍ଧିଜୀଙ୍କୁ ହସ୍ତକ୍ଷେପକରିବାକୁ ପଡ଼ିଥିଲା। ନେହେରୁ ବାଧ୍ୟହୋଇ ମୁଖ୍ୟମନ୍ତ୍ରୀମାନଙ୍କ ପାଖକୁ ୧୯୪୯ ଅଗଷ୍ଟ୧ରେ ଚିଠି ଲେଖିଲେ ଯାହାର ମର୍ମ ଥିଲା- ଯଦି ବିଧାୟକମାନେ ନିଯୁକ୍ତି,ବଦଳି ଓ ବିଭିନ୍ନ ଲାଇସେନ୍ସ ଓ ପରମିଟ୍ ଦେବାରେ ହସ୍ତକ୍ଷେପ କରିବେ ତେବେ ଦୁର୍ନୀତି, ପ୍ରିୟାପ୍ରୀତି ତୋଷଣ ଆରମ୍ଭ ହୋଇଯିବ। ତେଣୁ ତୁରନ୍ତ ଏହାର ଅବସାନ ପାଇଁ ପଦକ୍ଷେପ ନେବାକୁ ସେ ମୁଖ୍ୟମନ୍ତ୍ରୀମାନଙ୍କୁ ଅନୁରୋଧକଲେ।
ମାତ୍ର ଅନେକ ମୁଖ୍ୟମନ୍ତ୍ରୀ ଚାହୁଁଥିଲେ ପ୍ରଶାସନିକ ଅଧିକାରୀମାନେ ତାଙ୍କ ନିୟନ୍ତ୍ରଣରେ ରୁହନ୍ତୁ। ହୁଏତ କେହି କେହି ଉଦାର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ସଚିବମାନଙ୍କଠାରୁ ସ୍ପଷ୍ଟ, ନିର୍ଭୀକ ନ୍ୟାୟୋଚିତ ମତାମତକୁ ସ୍ବାଗତ କରୁଥିଲେ। ମାତ୍ର ଅନେକେ ଚାହୁଁଥିଲେ ଶାସନ ବ୍ୟବସ୍ଥା ଯେହେତୁ ତାଙ୍କ ଉପରେ ନ୍ୟସ୍ତ ସେମାନେ ଯାହା କହିବେ ବା ଚାହିଁବେ ତାହା ହିଁ ହେଉ। ଏଭଳି ସ୍ଥିତିରେ ଯଦି ସଚିବମାନେ ପ୍ରତିକୂଳ ମନ୍ତବ୍ୟ ଦେଉଥିଲେ ତେବେ ଅନେକ କାର୍ଯ୍ୟ ହୋଇପାରୁ ନ ଥିଲା। ମନ୍ତ୍ରୀମାନଙ୍କୁ ଗଣମାଧ୍ୟମର କାଠଗଡ଼ାରେ ଠିଆହେବାକୁ ବା ନ୍ୟାୟିକ ତଦନ୍ତର ସମ୍ମୁଖୀନ ହେବାକୁ ପଡୁଥିଲା। ତେଣୁ ମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀମାନେ ଚାହିଁଲେ, ହଁ ମରା ସଚିବମାନେ ରହିଲେ ସେମାନେ ଯାହା ନିର୍ଦ୍ଦେଶଦେବେ ସେହି ଅନୁଯାୟୀ ଫାଇଲ ଆସିବ, ଆଉ ବିଭ୍ରାଟହେବ ନାହିଁ। ଇଚ୍ଛା ମୁତାବକ ଆସିବାକୁ ଥିବା ଫାଇଲର ଗତିରୋଧ କରୁଥିବା ସଚିବମାନଙ୍କୁ ପସନ୍ଦ କରାଗଲା ନାହିଁ। ଜିଲାରେ ସେମିତି ଯେଉଁ ଅଧିକାରୀମାନେ ହଁରେ ହଁ ମାରିବେ ସେମାନଙ୍କୁ ଚୟନ କରାଗଲା।
ହଁ ମାରିବାରେ ଅଭ୍ୟସ୍ତ ଅଧିକାରୀଙ୍କ ସଂଖ୍ୟା ଯେତେ ବଢ଼ିଲା ନେତା, ମନ୍ତ୍ରୀ, ବିଧାୟକମାନଙ୍କୁ ସେତେ ସୁବିଧା ହେଲା। ସେମାନେ ନିଜ ପାଇଁ, ଦଳ ପାଇଁ, ନିଜ କର୍ମୀମାନଙ୍କ ପାଇଁ ବିଭିନ୍ନ ସୁବିଧାସୁଯୋଗ ହାସଲ କରାଇପାରିଲେ। ଜନବଳ ଓ ଧନବଳ ତାଙ୍କ ପାଖରେ ବଢ଼ିବାରେ ଲାଗିଲା। ପ୍ରଶାସନିକ ଅଧିକାରୀମାନେ ଅସହାୟ ଓ ଦୁର୍ବଳହେବାରେ ଲାଗିଲେ। ସରକାର, ମନ୍ତ୍ରିମଣ୍ଡଳ, ବିଧାନସଭା ଓ ସଂସଦର ସଦସ୍ୟମାନେ ସଂସଦୀୟ ସାର୍ବଭୌମତ୍ୱ ନାଁରେ ଧୀରେ ଧୀରେ କ୍ଷମତା ଦଖଲକଲେ। ଯେଉଁ କଥା କାର୍ଯ୍ୟପାଳିକା କରିବା କଥା ତାହା ବ୍ୟବସ୍ଥାପକମାନେ କଲେ। ନୀତି ପ୍ରଣୟନଠାରୁ ଆରମ୍ଭକରି ତା’ର କାର୍ଯ୍ୟକାରିତା ପର୍ଯ୍ୟନ୍ତ ସବୁ ସେମାନେ ଦେଖିବା ଆରମ୍ଭକଲେ। ସେବା ନାଁରେ ସେମାନେ ଶାସନକରିବା ଆରମ୍ଭକଲେ । କ୍ଷମତା ତ ସହଜରେ କଳୁଷିତ କରେ ଏବଂ ନିରଙ୍କୁଶ କ୍ଷମତା ଆହୁରି କଳୁଷିତ କରେ। ତେଣୁ ନିରଙ୍କୁଶ କ୍ଷମତା ଉପଭୋଗ କରିବା ଇଚ୍ଛାରେ ସେମାନେ ଯେଉଁମାନେ ପ୍ରତିବନ୍ଧକ ସୃଷ୍ଟିକରୁଥିଲେ ତାଙ୍କୁ ହଟାଇବାକୁ ବା ନିୟନ୍ତ୍ରଣ କରିବାକୁ ଯୋଜନା କଲେ। ମୁଲାୟମ ସିଂହ ଯାଦବ ୧୯୮୦ରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହେଲା ପରେ ଘୋଷଣାକଲେ ଯେ ସରକାରଙ୍କ ଇଚ୍ଛା, ଆଭିମୁଖ୍ୟ ଓ ଲୋକମତକୁ କାର୍ଯ୍ୟକାରୀ କରିବାକୁ ହେଲେ ବ୍ୟାପକ ବଦଳି ଆବଶ୍ୟକ। ମୁଲାୟମ ତାଙ୍କ ପ୍ରଥମ ପାଳିର ୧୮ମାସ ଶାସନରେ ୪୧୯ ଅଧିକାରୀଙ୍କ ବଦଳିକଲେ। ତା’ପରେ କଲ୍ୟାଣ ସିଂହ ଆସିଲେ ୧୮ମାସ ପାଇଁ। ସେ ୪୬୦ ଅଧିକାରୀଙ୍କ ବଦଳିକଲେ। ମୁଲାୟମ ତାଙ୍କ ଦ୍ୱିତୀୟପାଳିରେ ୩୨୧ ଅଧିକାରୀଙ୍କୁ ବଦଳିକଲେ। ମାୟାବତୀ ଆସିଲା ପରେ୧୯୦ ଅଧିକାରୀଙ୍କର ବଦଳିକଲେ। ଉମା ଭାରତୀ ଯେବେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହେଲେ, ୨୯୬ ଅଧିକାରୀଙ୍କ ଭିତରୁ୨୪୦ଜଣଙ୍କର ବଦଳିହେଲା। ଏପରିକି କେତେଜଣ ବର୍ଷକ ଭିତରେ ୩/୪ ଥର ବଦଳି ହେଲେ। କେହି କେହି ନୂଆ ପଦବୀରେ ଯୋଗଦେବା ପୂର୍ବରୁ ବଦଳି ଅର୍ଡର ପୁଣି ବଦଳିଗଲା। ବ୍ୟାପକ ବଦଳି ମାଧ୍ୟମରେ ସଂକେତ ଦିଆଗଲା ଯେ ଅନୁଗାମୀ ହୁଅ ନ ହେଲେ ଦୂରଗାମୀହେବାକୁ ପଡିବ।
ଶାସନର ଏ ଗତି ଦେଖି ଅନେକ ଅଧିକାରୀ ନିଜ ନୀତିରେ ପରିବର୍ତ୍ତନ ଆଣିଲେ। ଆପେ ବଞ୍ଚିଲେ ବାପର ନାଁ ହିଁ ହେଲା ନୂଆ ରଣନୀତି। ଅଧିକାରୀ କୋର୍ଟ କଚେରିକୁ ଗଲେ ମାତ୍ର ତାହା ବିଫଳପ୍ରଦ ହେଲାନାହିଁ। କେବଳ ଉତ୍ତରପ୍ରଦେଶର ନୁହେଁ ପ୍ରତି ରାଜ୍ୟରେ ଊଣା ଅଧିକେ ଏଇ ଭଳି ଲୀଳା ଲାଗିଲା।
ବଦଳିର ମାଧ୍ୟମରେ ଯେଉଁମାନଙ୍କୁ ନିୟନ୍ତ୍ରଣ କରାଯାଇପାରିଲା ନାହିଁ ସେମାନଙ୍କ ପାଇଁ ଅନ୍ୟ ରଣନୀତି ପ୍ରସ୍ତୁତ ହେଲା। କିନ୍ତୁ ଅଧିକାରୀଙ୍କୁ ଗୁରୁତ୍ୱହୀନ ପଦବୀକୁ ପେଲି ଦିଆଯାଉଥିଲା। ଓଡ଼ିଶାରେ ଯେମିତି ଯେଉଁ ବରିଷ୍ଠ ଅଧିକାରୀମାନେ ପସନ୍ଦଯୋଗ୍ୟ ହୁଅନ୍ତି ନାହିଁ ତାଙ୍କୁ ଗୋପବନ୍ଧୁ ଏକାଡେମୀର ମହାନିର୍ଦ୍ଦେଶକ ବା କେବିକେର ମୁଖ୍ୟ ପ୍ରଶାସକ ଅଥବା ମେମ୍ବର ବୋର୍ଡ ଅଫ୍ ରେଭିନ୍ୟୁ କରି ବଦଳି କରିଦିଆଯାଏ। ଏବେ କିଛି ବର୍ଷହେଲା ବନ ନିଗମର ଅଧ୍ୟକ୍ଷ ଭଳି ପଦବୀରେ ମଧ୍ୟ ମୁଖ୍ୟ ଶାସନ ସଚିବ ପାହ୍ୟାର ଅଫିସରମାନଙ୍କୁ ବସେଇଦିଆଯିବାର ନଜିର ଅଛି। ପୋଲିସ ବିଭାଗରେ ସେମିତି କାହାକୁ ଦଣ୍ଡିତ କରିବାରଥିଲେ ସରକାରୀ ମୁଦ୍ରଣାଳୟ, ଓଏସ୍ଆର୍ଟିସିର ଅଧ୍ୟକ୍ଷ,ହୋମ୍ଗାର୍ଡ, ଫାୟାର ବ୍ରିଗେଡ୍ର ଡିଜି କିମ୍ବା ଗୃହ ବିଭାଗରେ ସ୍ବତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ କରି ବସାଇ ଦିଆଯାଏ। ଯେଉଁମାନଙ୍କୁଏତିକି ଦଣ୍ଡ ଯଥେଷ୍ଟ ବୋଲି ମନେକରାଯାଉ ନ ଥିଲା ତାଙ୍କ ସିସିଆର୍ ଖରାପ କରିବା ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭକରିବା ବା ଭିଜିଲାନ୍ସ, ଇଡି, ସିବିଆଇ ଆଦି ଲଗାଇବାର ପରମ୍ପରା ମଧ୍ୟ ଧୀରେ ଧୀରେ ଆରମ୍ଭହେଲା। ଉତ୍ତରପ୍ରଦେଶରେ ଦୁର୍ଗାଶକ୍ତି ନାଗପାଲ ନାମକ ତରୁଣ ଏଇଏଏସ୍ ଅଧିକାରୀଙ୍କ ବିରୋଧରେ ଏଇଭଳି ଗ୍ରେଟରନୋଇଡାର ଏକ ମସ୍ଜିଦ୍ର କାନ୍ଥ ଭାଙ୍ଗିଥିବାର ପିଟିଶନ ଯୋଗାଡ଼କରି ତାଙ୍କୁ ସସ୍ପେଣ୍ଡ କରାଯାଇଥିଲା। ଓଡ଼ିଶାରେ ଅତୀତରେ ଗୁଡ଼ିଶ୍ରୀନିବାସଙ୍କ ଉପରେ ମଧ୍ୟ ସେଇଭଳି ସାମାନ୍ୟ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା।
ରଞ୍ଜନ କୁମାର ଦାସ
ମୋ: ୯୪୩୭୨୮୬୫୧୨