ଋଷିକୁଲ୍ୟା ମୁହାଣରେ ବିଦେଶୀ ପକ୍ଷୀ

ଗଞ୍ଜାମ,୩ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଋଷିକୁଲ୍ୟା ମୁହାଣରେ ସମ୍ପ୍ରତି ବିଦେଶୀ ପକ୍ଷୀମାନଙ୍କ କଳରବ ଦେଖିବାକୁ ମିଳିଛି। ବିଦେଶୀ ପକ୍ଷୀମାନଙ୍କ ମଧ୍ୟରେ ଶହ ଶହ ସଂଖ୍ୟାରେ ମଙ୍ଗୋଲିଆ ପକ୍ଷୀ ସ୍ଥାନୀୟ ଅଞ୍ଚଳବାସୀ ଓ ପର୍ଯ୍ୟଟକଙ୍କୁ ବିମୋହିତ କରୁଛନ୍ତି। ମଙ୍ଗୋଲିଆ ଓ ମ୍ୟାନ୍‌ମାର ଅଞ୍ଚଳରେ ପ୍ରବଳ ଥଣ୍ଡାରୁ ମୁକ୍ତି ପାଇବାକୁ ଏହି ବିରଳ ପ୍ରଜାତିର ପକ୍ଷୀ ହଜାର ହଜାର କିଲୋମିଟର ଅତିକ୍ରମ କରି ଓଡ଼ିଶାର ବିଭିନ୍ନ ହ୍ରଦ ଓ ନଦୀଗୁଡ଼ିକୁ ଚାଲି ଆସନ୍ତି। ଏମାନେ ବିଶେଷକରି ଘାସ ଜାତୀୟ ଖାଦ୍ୟ ଓ କଟା ଯାଇଥିବା ଧାନ ଗଛ ମୂଳ ଖାଇବାକୁ ପସନ୍ଦ କରନ୍ତି ବୋଲି ପରିବେଶବିତ୍‌ ରବୀନ୍ଦ୍ର କୁମାର ସାହୁ କହିଛନ୍ତି। ଏମାନେ ଓଡ଼ିଶାରେ ଶୀତ ୪ମାସ ରହିଥାନ୍ତି। ଋଷିକୁଲ୍ୟା ମୁହାଣଠାରୁ ପୋତାଗଡ଼ ମଧ୍ୟରେ ଦଳ ଦଳ ହୋଇ ଏହି ପକ୍ଷୀମାନେ ଜଳକ୍ରୀଡ଼ା କରିବା ଓ ନଦୀର ମଧ୍ୟଭାଗରେ, ବାଲୁକା ଶଯ୍ୟାରେ ଆଶ୍ରୟ ନେଉଥିବା ଦୃଶ୍ୟ ଅତି ମନୋରମ। ଏମାନଙ୍କ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି। ସବୁଠାରୁ ଉଚ୍ଚରେ ଉଡିପାରୁଥିବା ଏହି ପକ୍ଷୀମାନେ କୁକୁଡ଼ାମାନଙ୍କଠାରୁ ଟିକେ ବଡ଼ ଦେଖା ଯାଇଥାନ୍ତି। ପରିବେଶବିତ୍‌ମାନେ ଏହି ବିରଳ ପ୍ରଜାତିର ପକ୍ଷୀମାନଙ୍କ ଉପରେ ତଥ୍ୟ ସଂଗ୍ରହ କରିବାକୁ ଗଞ୍ଜାମ ବ୍ଲକ ନିକଟ ଋଷିକୁଲ୍ୟା ମୁହାଣକୁ ଆସୁଥିବା ଦେଖିବାକୁ ମିଳୁଛି।

Share