Categories: ବାଣିଜ୍ୟ

ବେଦାନ୍ତ କାର୍ଯ୍ୟ ପରିସର ଅଞ୍ଚଳରେ ପ୍ରକଳ୍ପ ପଞ୍ଛିର ବିସ୍ତାର

ଭୁବନେଶ୍ୱର,୧।୫: ବେଦାନ୍ତ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ତଥା ବେଦାନ୍ତ ଆଲୁମିନିୟମର ଅଭିନବ କାର୍ଯ୍ୟକ୍ରମ ‘ପ୍ରକଳ୍ପ ପଞ୍ଛି’ର ବିସ୍ତାର ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ଓଡ଼ିଶା ୟୁନିଟ୍‌ (ଝାରସୁଗୁଡ଼ା) ଅଧୀନ ଲଖନପୁର ବ୍ଲକର ବେଲପାହାଡ଼ ଅଞ୍ଚଳରେ ‘ପ୍ରକଳ୍ପ ପଞ୍ଛି’ର ବିସ୍ତାର ହୋଇଛି।
ଉଲ୍ଲେଖଯୋଗ୍ୟ, ବେଦାନ୍ତ ଗ୍ରୁପ୍‌ର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲଙ୍କ ଦିଗ୍‌ଦର୍ଶନରେ ଆରମ୍ଭ ହୋଇଥିବା ପ୍ରକଳ୍ପ ପଞ୍ଛି ଜରିଆରେ ଭାରତର ଆର୍ଥିକ ଦୁର୍ବଳ ଶ୍ରେଣୀର ୧୦୦୦ ବାଳିକାଙ୍କୁ ବିଭିନ୍ନ ବ୍ୟବସାୟରେ ନିଯୁକ୍ତି ଦେବାର ଲକ୍ଷ୍ୟ ରଖାଯାଇଛି।
ସମ୍ପ୍ରତି ଲଖନପୁର ବ୍ଲକ୍‌ରୁ ୧୪ଜଣ ଝିଅଙ୍କୁ ନିଯୁକ୍ତି ପାଇଁ ନିକଟରେ କମ୍ପାନୀ ପକ୍ଷରୁ ଚୟନ କରାଯାଇଛି। ଏହି ପରିପ୍ରେକ୍ଷୀରେ ବ୍ରଜରାଜନଗରର ସବ୍‌ଡିଭିଜନାଲ ପୋଲିସ ଅଧିକାରୀ ଚିନ୍ତାମଣି ପ୍ରଧାନଙ୍କ ଦ୍ୱାରା ମନୋନୀତ ଉପରୋକ୍ତ ପ୍ରାର୍ଥୀଙ୍କୁ ଅଫର ଲେଟର ପ୍ରଦାନ କରାଯାଇଥିଲାବେଳେ ବେଦାନ୍ତ ଆଲୁମିନିୟମର ସିଇଓ (ମାଇନ୍ସ) ଭି. ଶ୍ରୀକାନ୍ତ ଉକ୍ତ କାର୍ଯ୍ୟକ୍ରମକୁ ସମର୍ଥନ କରିଥିଲେ।
ବେଦାନ୍ତ ଆଲୁମିନିୟମର ଖଣି ଟିମ୍‌ ପ୍ରଥମ ବର୍ଷ ଆରମ୍ଭରେ ଛତିଶଗଡ଼ଠାରେ ପ୍ରତିଷ୍ଠିତ ଓ.ପି.ଜିନ୍ଦଲ.ବିଶ୍ୱବିଦ୍ୟାଳୟ ପାଇଁ ପ୍ରକଳ୍ପ ପଞ୍ଛିର ପ୍ରାର୍ଥୀମାନଙ୍କୁ ଶିକ୍ଷା ଗ୍ରହଣ ପାଇଁ ପଠାଯାଇଛି। ବର୍ତ୍ତମାନ ସୁଦ୍ଧା ବେଦାନ୍ତର ଅପରେଶନ କ୍ଷେତ୍ରରେ ପ୍ରକଳ୍ପ ପଞ୍ଛି ମାଧ୍ୟମରେ ୨୩୦ରୁ ଅଧିକ ବାଳିକାଙ୍କୁ ଚୟନ କରାଯାଇଛି, ଯେଉଁଥିରେ ଛତିଶଗଡ଼ର କୋର୍ବା, ଓଡ଼ିଶାର ଲାଞ୍ଜିଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ବେଲପାହାଡ଼ର ପ୍ରାର୍ଥୀମାନେ ରହିଛନ୍ତି।
ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ (ମାଇନ୍ସ) ଭି. ଶ୍ରୀକାନ୍ତ କହିଥିଲେ, ଆମର ଅଧ୍ୟକ୍ଷଙ୍କ ଦୂରଦୃଷ୍ଟି ଉପରେ ଆଧାରିତ ଏହି ପଦକ୍ଷେପ ଝିଅମାନଙ୍କ ପାଇଁ କେବଳ ସେମାନଙ୍କ ଶିକ୍ଷା ନୁହେଁ ବରଂ ଏକ ଜୀବନ ପରିବର୍ତ୍ତନକାରୀ ମାଧ୍ୟମରେ ପରିଣତ ହୋଇଛି। ଏହାଦ୍ୱାରା ମହିଳା ସଶକ୍ତୀକରଣ ହେବା ସହ ସମାଜରେ ସେମାନଙ୍କ ସ୍ଥାନ ସୁଦୃଢ଼ ହୋଇପାରିବ। ସେହିଭଳି ଏହି କାର୍ଯ୍ୟକ୍ରମ ମହିଳା ସଶକ୍ତୀକରଣକୁ ମଜଭୁତ କରିବା ସହ ପ୍ରତ୍ୟେକ ଝିଅଙ୍କ ଜୀବନରେ କ୍ୟାରିୟର ଓ ସୁଯୋଗକୁ ସୁନିଶ୍ଚିତ କରିବା ଲାଗି ଆମର ପ୍ରତିବଦ୍ଧତାର ଏହା ପ୍ରମାଣ ସେ ବିସ୍ତୃତ ଭାବେ ମତପ୍ରକାଶ କରିଥିଲେ।

Share