ପାଟଣା,୨୪।୫(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରୀ ପଞ୍ଚାୟତ ମଲ୍ଲୀପଶି ଗାଁକୁ ଅପ୍ରେଲ ମାସରେ ବାହାର ରାଜ୍ୟରୁ ଚାଲିଆସିଥିଲେ ପ୍ରାୟ ୩୦୦ ଲୋକେ। ମହାରାଷ୍ଟ୍ରର ନାଗପୁର ଜିଲାରୁ ଉଦାଷା ଗାଁରୁ ୧୧ ପରିବାର (୬୦ ଲୋକ) ଚାଲିଆସିଥିବାବେଳେ ଜଡିବୁଟି ବିକ୍ରି କରି ପେଟ ପୋଷିବାକୁ ଆସିଥିବା ୨୪୦ରୁ ଉଦ୍ଧର୍ବ ଲୋକ ଲକ୍ଡାଉନ ଯୋଗୁ ମଲ୍ଲୀପଶି ହାଟତୋଟାର ଆଖପାଖ ଅଞ୍ଚଳରେ ଆଶ୍ରୟ ନେଇଥିଲେ। କିନ୍ତୁ ସୋମବାର ସ୍ଥାନୀୟ ଏସ୍ଏଚ୍ଜି ଗ୍ରୁପର ମହିଳା ଓ କେତେକ ଯୁବକ ଗାଁର ପରିବେଶ ପ୍ରଦୂଷିତ ହେଉଥିବା କହି ସେମାନଙ୍କୁ ଗାଁ ଛାଡି ଚାଲି ଯିବା ପାଇଁ ବାଧ୍ୟ କରିଥିଲେ। ଫଳରେ ଏହି ଲୋକମାନେ ସନ୍ଧ୍ୟାରେ ନିଜ ନିଜ ଗାଡ଼ିରେ ମଲ୍ଲୀପଶି ଛାଡି ପଳାଇଥିବାବେଳେ ଆଉ କେତେକଙ୍କ ପାଇଁ ସରପଞ୍ଚ ଭାମାମଣୀ ଦାସ ଗାଡି ବ୍ୟବସ୍ଥା କରିଥିବା ଜଣାପଡ଼ିଛି।