ନୂଆଦିଲ୍ଲୀ, ୨୫ା୩ : କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରିଛନ୍ତି। ଶୁକ୍ରବାର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା ୪୭.୫୮ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଓ ୬୯.୭୬ ଲକ୍ଷ ପେନସନଭୋଗୀ ଉପକୃତ ହେବେ। ୪% ବୃଦ୍ଧି ଫଳରେ ମହଙ୍ଗା ଭତ୍ତା ମୂଳ ବେତନର ୪୨ ପ୍ରତିଶତ ହୋଇଛି। ଏବାବଦରେ ସରକାରଙ୍କୁ ଅଧିକ ୧୨,୮୧୫ କୋଟି ଟଙ୍କା ବ୍ୟୟଭାର ବହନ କରିବାକୁ ପଡ଼ିବ ବୋଲି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି। ବର୍ଦ୍ଧିତ ବଜାର ଦରକୁ ଚାହିଁ ସରକାର କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା (ଡିଏ) ଏବଂ ପେନସନଭୋଗୀଙ୍କ ମହଙ୍ଗା ସହାୟତା ବଢ଼ାଇଥାନ୍ତି। ଏହା ଚଳିତ ବର୍ଷ ଜାନୁୟାରୀ ୧ରୁ ପିଛିଲା ଭାବେ ଲାଗୁ ହେବ ।