ମାସ ଆରମ୍ଭରୁ ରୋଷେଇ ଘରେ ମହଙ୍ଗା ମାଡ଼ …

ନୂଆଦିଲ୍ଲୀ,୧।୯: ମାସ ଆରମ୍ଭରୁ ରୋଷେଇ ଘରେ ମହଙ୍ଗା ମାଡ଼ ହୋଇଛି। ଏଲ୍‌ପିଜି ସିଲିଣ୍ଡର ଦାମ୍‌ ପୁଣି ବଢ଼ିଛି। ଘରେ ବ୍ୟବହୃତ ହେଉଥିବା ସବସିଡ଼ି ଯୁକ୍ତ ସିଲିଣ୍ଡର ଦାମରେ ୨୫ ଟଙ୍କା ବୃଦ୍ଧି ଘଟିଛି। କେବଳ ଘରୋଇ ଏଲପିଜି ସିଲିଣ୍ଡର ନୁହେଁ, ୧୯ କିଲୋଗ୍ରାମର କମର୍ସିଆଲ ସିଲିଣ୍ଡର ମଧ୍ୟ ମହଙ୍ଗା ହୋଇଛି। ଦିଲ୍ଲୀରେ କମର୍ସିଆଲ ସିଲିଣ୍ଡର ଦାମ ୧୬୧୮ ଟଙ୍କା ବଦଳରେ ଏବେ ୧୬୯୩ ଟଙ୍କାରେ ବିକ୍ରି ହେଉଛି ।
ଦାମ ବୃଦ୍ଧି ପରେ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୮୪.୫୦ ଟଙ୍କାକୁ ବୃଦ୍ଧି ପାଇଛି। ଏହାପୂର୍ବରୁ ଅଗଷ୍ଟ ୧୮ରେ ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ବୃଦ୍ଧି କରାଯାଇଥିଲା। ଏହାପୂର୍ବରୁ ଜୁଲାଇ ୧ ରେ ଏଲପିଜି ମୂଲ୍ୟ ୨୫.୫୦ ଟଙ୍କା ବୃଦ୍ଧି କରାଯାଇଥିଲା।
ବର୍ତ୍ତମାନ ୧୪.୨ କିଲୋଗ୍ରାମ ଅଣ ସବସିଡିଯୁକ୍ତ ଏଲପିଜି ସିଲିଣ୍ଡର ଦିଲ୍ଲୀ-ମୁମ୍ବାଇରେ ୮୮୪.୫୦ ଟଙ୍କା, କୋଲକାତାରେ ୯୧୧ ଟଙ୍କା ଏବଂ ଚେନ୍ନାଇରେ ୯୦୦.୫୦ ଟଙ୍କାରେ ବିକ୍ରି ହେଉଛି। ଏହାପୂର୍ବରୁ ସିଲିଣ୍ଡର ଯଥାକ୍ରମେ ୮୫୯.୫୦, ୮୮୬, ଏବଂ ୮୭୫ ଟଙ୍କାରେ ବିକ୍ରି ହେଉଥିଲା।
ଘରୋଇ ସିଲିଣ୍ଡର ଚଳିତ ବର୍ଷ ୧୯୦ ଟଙ୍କା ମହଙ୍ଗା ହୋଇଛି। ୨୦୨୧ ଜାନୁଆରୀ ୧ ରୁ ଇତିମଧ୍ୟରେ ଗତ ୮ ମାସରେ ସିଲିଣ୍ଡରର ମୂଲ୍ୟ ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ଜାନୁଆରୀ ୧ ରେ, ଦିଲ୍ଲୀରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୬୯୪ ଟଙ୍କା ଥିଲା, ଯାହା ବର୍ତ୍ତମାନ ୮୮୪.୫୦ ଟଙ୍କାକୁ ବୃଦ୍ଧି ପାଇଛି। ଫେବୃଆରୀରେ ସିଲିଣ୍ଡରର ମୂଲ୍ୟ ୭୧୯ ଟଙ୍କାକୁ ବୃଦ୍ଧି ପାଇଥିଲା। ଏହା ପରେ ସିଲିଣ୍ଡରର ମୂଲ୍ୟ ଫେବୃଆରୀ ୧୫ ରେ ୭୬୯ ଟଙ୍କା, ଫେବୃଆରୀ ୨୫ ରେ ୭୯୪ ଟଙ୍କା, ମାର୍ଚ୍ଚ ୧ ରେ ୮୧୯ ଟଙ୍କା, ଏପ୍ରିଲ ୧ ରେ ୮୦୯ ଟଙ୍କା, ଜୁଲାଇ ୧ ରେ ୮୩୪.୫୦ ଟଙ୍କା, ଅଗଷ୍ଟ ୧୮ ରେ ୮୫୯.୫୦ ଟଙ୍କା ଥିଲା।

Share