ନୂଆଦିଲ୍ଲୀ,୫।୪:ଭାରତରୁ ଆମଦାନୀ ସାମଗ୍ରୀ ଉପରେ ଆମେରିକାର ଟ୍ରମ୍ପ୍ ପ୍ରଶାସନ ୨୬ ପ୍ରତିଶତ ଶୁଳ୍କ ଲଗାଇଥିବାରୁ ଦେଶର ଜିଡିପି ଅଭିବୃଦ୍ଧି ୫୦ ବେସିସ୍ ପଏଣ୍ଟ ହ୍ରାସ ପାଇ ୬ ପ୍ରତିଶତରେ ରହିବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ଏଥିସହିତ ଆମେରିକା ସହ ଭାରତର ରପ୍ତାନି ମଧ୍ୟ ୨ରୁ ୩ ପ୍ରତିଶତ କମିଯିବ ବୋଲି ସେମାନେ ମତ ଦେଇଛନ୍ତି। ତେବେ ଭାରତ ଆମେରିକାରୁ ଶକ୍ତି ଏବଂ ଉଚ୍ଚ ପ୍ରଯୁକ୍ତି ଉପାଦାନ ଆମଦାନୀ ବଢ଼ାଇ ଏହି ପ୍ରଭାବକୁ କମ୍ କରିପାରିବ ବୋଲି ବିଶେଷଜ୍ଞମାନେ ପ୍ରସ୍ତାବ ଦେଇଛନ୍ତି। ଇଓ୍ବାଇ ଇଣ୍ଡିଆର ମୁଖ୍ୟ ନୀତି ଉପଦେଷ୍ଟା ଡି.କେ. ଶ୍ରୀବାସ୍ତବ କହିଛନ୍ତି, ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଉପରେ ସର୍ବାଧିକ ପ୍ରତିକୂଳ ପ୍ରଭାବ ୫୦ ବେସିସ୍ ପଏଣ୍ଟଠାରୁ ଅଧିକ ହେବନାହିଁ। ଚଳିତ ଆର୍ଥତ୍କ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ୬.୫ ପ୍ରତିଶତ ରହିବ ବୋଲି ପୂର୍ବରୁ ଆକଳନ କରାଯାଇଥିବାବେଳେ ଏହା ୬ ପ୍ରତିଶତକୁ ଖସିଆସିପାରେ ବୋଲି ସେ ପୂର୍ବାନୁମାନ କରିଛନ୍ତି। (ବାଦ୍ ପଡ଼ିଥିବା ସାମଗ୍ରୀକୁ ବିଚାରକୁ ନେବା ପରେ) ଆମେରିକା ରପ୍ତାନି ହେଉଥିବା ଭାରତୀୟ ସାମଗ୍ରୀ ଉପରେ ଯଦି ଟାରିଫ୍ ୨୦% ବଢ଼େ, ତେବେ ଜିଡିପି ୩୫ରୁ ୪୦ ବେସିସ୍ ପଏଣ୍ଟ ହ୍ରାସ ପାଇବ ବୋଲି ଷ୍ଟାଷ୍ଟାର୍ଡ ଚାର୍ଟାର୍ଡ ବ୍ୟାଙ୍କର ଭାରତ ମୁଖ୍ୟ ଅର୍ଥନୀତି ଗବେଷକ ଅନୁଭୂତି ସହାୟ କହିଛନ୍ତି। ତେବେ ଚୂଡ଼ାନ୍ତ ପ୍ରଭାବ ଭାରତ ଏବଂ ଆମେରିକା ଉପରେ ବାଣିଜ୍ୟ କାରବାର ଚୁକ୍ତିନାମା ଉପରେ ନିର୍ଭର କରୁଛି। ତେବେ ଭାରତ ତୁଳନାରେ ଅନ୍ୟ ଏସୀୟ ଦେଶଗୁଡ଼ିକ ଟାରିଫ ଯୋଗୁ ଅଧିକ ପ୍ରଭାବିତ ହେବେ। କାରଣ ସେହି ଦେଶଗୁଡ଼ିକ ଉପରେ ଆମେରିକା ଅଧିକ ଟାରିଫ୍ ଲଗାଇଛି। ଆମେରିକାର ଶୁଳ୍କ ବୃଦ୍ଧି ଦେଶର ବିନିମୟ ହାର ଉପରେ ଅନୁକୂଳ ପ୍ରଭାବ ପକାଇପାରେ। କାରଣ ମୁଦ୍ରାସ୍ଫୀତି ବଢ଼ିବା ଯୋଗୁ ଆମେରିକାରେ ଡଲାର ଚାପରେ ରହିବ ବୋଲି ଶ୍ରୀବାସ୍ତବ କହିଛନ୍ତି।


