Advertisement

ଗର୍ଭବତୀଙ୍କୁ ଦେଲେ ଏକ୍ସପାଏରି ଛତୁଆ

ବଲାଙ୍ଗୀର,୨୯ା୧୨(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲାରେ ଏକ୍ସପାଏରୀ ଛତୁଆ ଏବଂ ନିମ୍ନମାନର ବାଦାମ ଲଡୁ ବଣ୍ଟନ କରାଯାଉଛି। ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ଦେଓଗଁାର ଜଣେ ଗର୍ଭବତୀ ପ୍ରିୟଙ୍କା ଦୋରା। ସେ ବଣ୍ଟନ କରାଯାଇଥିବା ଏକ୍ସପାଏରୀ ଛତୁଆ ଏବଂ ନିମ୍ନମାନର ବାଦାମ ଲଡୁକୁ ବଲାଙ୍ଗୀର ଆସି ଗୁରୁବାର ଜିଲାପାଳ ଚଞ୍ଚଳ ରାଣାଙ୍କୁ ଭେଟିଥିଲେ। ସେ ଜିଲାପାଳଙ୍କୁ କହିଥିଲେ ଯେ, ୪ଦିନ ତଳେ ତାଙ୍କୁ ଦେଓଗଁା ଆଇସିଡିଏସ୍‌ ତରଫରୁ ତିନିମାସର ଛତୁଆ ଓ ବାଦାମ ଲଡୁ ଦିଆଯାଇଥିଲା। ଉକ୍ତ ଛତୁଆରେ ପ୍ରସ୍ତୁତ ତାରିଖ ୨୬ା୧୧ା୨୦୨୩ ଲେଖା ରହିଛି। ଏହା ସହିତ ଛତୁଆ ପ୍ୟାକେଟ୍‌ରେ ଏକ୍ସପାଏରୀ ତାରିଖ ୧ମାସ ବୋଲି ଉଲ୍ଲେଖ ରହିଛି। ୪ଦିନ ତଳେ ତିନିମାସର ଛତୁଆ ଏକକାଳୀନ ଦେଇଥିବାରୁ ଏହାର ଏକ୍ସପାଏରୀ ତାରିଖ ୨୬ ଡିସେମ୍ବରରେ ସରିଯାଇଛି। ଏଭଳି ଖାଦ୍ୟ ଖାଇଲେ ଗର୍ଭବତୀ ଏବଂ ଶିଶୁଙ୍କ ଅବସ୍ଥା କିଭଳି ହେବ ବୋଲି ସେ ପ୍ରଶ୍ନ କରିଥିଲେ। ଜିଲାପାଳ ତାଙ୍କ ଅଭିଯୋଗ ଶୁଣିବା ପରେ ତୁରନ୍ତ ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କ ପାଖକୁ ପଠାଇ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପରେ ପ୍ରିୟଙ୍କା ସେ ଛତୁଆ ଓ ବାଦାମ ଲଡୁ ଧରି ଜିଲା ସମାଜ ମଙ୍ଗଳ ଅଧିକାରୀ ଲୀଳାବତୀ ନାଗଙ୍କୁ ଭେଟିଥିଲେ। ବାଦାମ ଲଡୁ ଚାଖିବା ପରେ ଏହାର ମାନ ଠିକ୍‌ ନଥିବା ନାଗ କହିଥିଲେ। ଅଭିଯୋଗର ତଦନ୍ତ କରାଯିବ ଏବଂ ତଦନ୍ତ ଅନୁଯାୟୀ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀ ନାଗ ଗଣମାଧ୍ୟମଙ୍କୁ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share