‘୧୧ ମାସରେ କେତେ ଜମି ଅଧିଗ୍ରହଣ ହୋଇଛି ସ୍ପଷ୍ଟ କର’

ପଦ୍ମପୁର,୨୯।୧୧(ଡି.ଏନ.ଏ.): ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ପଦ୍ମପୁରର ଏକ ନିର୍ବାଚନୀ ସଭାରେ ବରଗଡ-ନୂଆପଡା ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର କାଲି ଜମି ଦେଲେ ପଅରଦିନ ରେଳ ପ୍ରକଳ୍ପ ନିମାଣ କାମ ଆରମ୍ଭ ହେବ ବୋଲି କହିଥିଲେ। ଏହାର ଜବାବରେ ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ଯାହା କହିଛନ୍ତି ତାହା ରାଜ୍ୟ ସରକାର ଓ ବିଜୁ ଜନତା ଦଳର ପଦ୍ମପୁରବାସୀଙ୍କ ପ୍ରତି ଥିବା ପ୍ରତିବଦ୍ଧତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ବରଗଡ ଏମ୍‌ପି ସୁରେଶ ପୂଜାରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।
ପୂଜାରୀ କହିଛନ୍ତି, ପ୍ରକଳ୍ପର ଟେଣ୍ଡର ହେବାର ୧୧ ମାସ ପରେ ମଧ୍ୟ ଏବେ ସୁଦ୍ଧା ରାଜ୍ୟ ସରକାର ଇଞ୍ଚେ ଜମି ଅଧିଗ୍ରହଣ କରିପାରିନାହାନ୍ତି। କେନ୍ଦ୍ର ସରକାର କେବେ ରାଜ୍ୟ ସରକାରଙ୍କୁ ଜମି ମାଗିଥିଲେ ତାହା ପ୍ରକାଶ କରନ୍ତୁ ବୋଲି ବିଜେଡି ନେତା କହିବା ଅତ୍ୟନ୍ତ ନିନ୍ଦନୀୟ । ରାଜ୍ୟ ସରକାର ଓ ବିଜେଡି କେବେ ନିଜର ଦାୟିତ୍ୱକୁ ବୁଝିପାରନ୍ତିନାହିଁ। ଯେବେଠାରୁ କେନ୍ଦ୍ର ରେଳ ମନ୍ତ୍ରଣାଳୟ ଏହି ପ୍ରକଳ୍ପକୁ ଅନୁମୋଦନ କରିଲେଣି ସେବେଠାରୁ ଜମି ଅଧିଗ୍ରହଣ ପାଇଁ ରାଜ୍ୟ ସରକାରଙ୍କ ଦାୟିତ୍ୱ ଆରମ୍ଭ ହୋଇଛି। ଓଡିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ ଏହି ପ୍ରକଳ୍ପ ପାଇଁ କେତେ ଜମି ଦରକାର ଏହାର ଟେଣ୍ଡର କାଢି ରାଜ୍ୟ ସରକାରଙ୍କୁ ଜଣାଇସାରିଛି। ରାଜ୍ୟ ସରକାର ଏବେ ଜମି ଚିହ୍ନଟ ଓ ଅଧିଗ୍ରହଣ କରି ଜମିର ବିବରଣୀ ସେହି କମ୍ପାନୀକୁ ଦେବା ଦରକାର। ଏବେ ରାଜ୍ୟ ସରକାର ଜମି ନ ଦେବା କାରଣରୁ ପ୍ରକଳ୍ପ କାମ ଆଗେଇ ନ ପାରିବା କଥା ଯେତେବେଳେ ଭାଜପା ଉଠାଉଛି ସେତେବେଳେ ବିଜେଡି ଓଲଟି କାହିଁକି କେନ୍ଦ୍ର ଜମି ମାଗିଲା ନାହିଁ ବୋଲି କହୁଛି ।
ରାଜ୍ୟର ବିକାଶରେ କ’ଣ ରାଜ୍ୟ ସରକାରଙ୍କ କିଛି ଭୂମିକା ନାହିଁ। ସବୁବେଳେ ରାଜ୍ୟ ସରକାରଙ୍କୁ କେନ୍ଦ୍ରର ଚିଠି ବା ତାଗିଦା ଦରକାର ବୋଲି ପୂଜାରୀ କହିଛନ୍ତି। ପୂର୍ବରୁ ରାଜ୍ୟ ସରକାରଙ୍କ ଜଣେ କ୍ୟାବିନେଟ ମନ୍ତ୍ରୀ ଏହି ପ୍ରକଳ୍ପ ଅନୁମୋଦନ ହେବାର ୧୧ମାସ ପରେ ଅନୁମୋଦନ ମାଗିବା ପାଇଁ ଚିଠି ଲେଖି ଅପଦସ୍ତ ହୋଇଥିଲେ। ଏବେ ପଦ୍ମପୁରବାସୀଙ୍କ ସାମ୍‌ନାରେ ରାଜ୍ୟ ସରକାରଙ୍କୁ ରେଳ ମନ୍ତ୍ରୀ ଆହ୍ବାନ ଦେବା ପରେ ବିଜେଡି ଏହି ପ୍ରସଙ୍ଗରେ ଲୋକଙ୍କୁ ମୁଁହ ଦେଖାଇବା କଷ୍ଟକର ହୋଇପଡିଛି ବୋଲି ପୂଜାରୀ କହିଛନ୍ତି।

Share