ନୂଆଦିଲ୍ଲୀ,୪।୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ମନ୍ତ୍ରୀ ଉଦୟନିଧିଙ୍କ ସନାତନ ଧର୍ମ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା କଂଗ୍ରେସ ଦଳକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଯଦି କଂଗ୍ରେସ ଦଳ ଉଦୟନିଧିଙ୍କ ବିବୃତ୍ତିରୁ ନିଜକୁ ଦୂରେଇ ନ ରଖେ, ତେବେ ଦଳ ହିନ୍ଦୁ ବିରୋଧୀ ବୋଲି ଅନୁମାନ କରାଯିବ। ଉଦୟନିଧିଙ୍କ ମନ୍ତବ୍ୟ ଉପରେ କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମଙ୍କ ସମର୍ଥନ ଉପରେ ଦଳର ଆଭିମୁଖ୍ୟକୁ ମୁଖ୍ୟମନ୍ତ୍ରୀ ହିମାଂଶ ବିଶ୍ୱ ସରମା ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।
ହିମନ୍ତ ବିଶ୍ୱ ସର୍ମା କହିଛନ୍ତି, ମୁଁ ତାମିଲନାଡୁ ମନ୍ତ୍ରୀଙ୍କ ବିବୃତ୍ତିକୁ ନିନ୍ଦା କରିବାକୁ ଚାହୁଁ ନାହିଁ କାରଣ ସେ ନିଜେ ନିଜକୁ ପ୍ରକାଶ କରିଛନ୍ତି। କାର୍ତ୍ତି ଚିଦାମ୍ବରମ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ଏଭଳି ମନ୍ତବ୍ୟ ଦେଇଛନ୍ତି। ବର୍ତ୍ତମାନ ପ୍ରଶ୍ନ ହେଉଛି କଂଗ୍ରେସ ଡିଏମକେ ସହ ମେଣ୍ଟ ହୋଇ ରହିବ କି ଏବଂ ଚିଦାମ୍ବରମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କି? ରାହୁଲ ଗାନ୍ଧୀଙ୍କ ପାଇଁ ଏହା ଏକ ପରୀକ୍ଷା। ସେ ସନାତନ ଧର୍ମକୁ ସମ୍ମାନ କରନ୍ତି କି ନାହିଁ ତାହା ସ୍ଥିର କରିବାକୁ ପଡ଼ିବ।
ହିମନ୍ତ ସରମା ଆହୁରି କହିଛନ୍ତି, ଯଦି ରାହୁଲ ଗାନ୍ଧୀ ଡିଏମକେ ସହିତ ସମ୍ପର୍କ ଭାଙ୍ଗନ୍ତି ନାହିଁ କିମ୍ବା ଚିଦାମ୍ବରମ (ଦଳରୁ) ବହିଷ୍କାର କରନ୍ତି ନାହିଁ, ତେବେ ଏହା ନିଶ୍ଚିତ ହେବ ଯେ ଏହି ଲୋକମାନେ (କଂଗ୍ରେସ) ହିନ୍ଦୁ ବିରୋଧୀ, ସେମାନେ ସନାତନ ଧର୍ମକୁ ପସନ୍ଦ କରନ୍ତି ନାହିଁ।
ତାମିଲନାଡୁର ଯୁବ କଲ୍ୟାଣ ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ ଅଭିଯୋଗ କରିଛନ୍ତି ଯେ, ସନାତନ ଧର୍ମ ସମାନତା ତଥା ସାମାଜିକ ନ୍ୟାୟ ବିରୋଧରେ ଅଛି ଏବଂ ଏହାକୁ ମ୍ୟାଲେରିଆ, ଡେଙ୍ଗୁ ଏବଂ କରୋନା ସହ ତୁଳନା କରିଛନ୍ତି। ଏହି ବିବୃତ୍ତି ପରେ ସାରା ଦେଶରେ ରାଜନୈତିକ ସର୍କଲରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଏଭଳି ବିବୃତ୍ତିକୁ କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମ ସମର୍ଥନ କରିଥିଲେ।