ରାଜନଗରରେ ଧାନକିଣା ନାଁରେ ଚାଷୀଙ୍କୁ ଶୋଷଣ

ରାଜନଗର, ୧୭ା୧(ଡି.ଏନ.ଏ.):ଚଳିତ ବର୍ଷ ଚାଷୀଙ୍କଠାରୁ ଧାନ କିଣିବାରେ କେହି ଯଦି ଶୋଷଣ କରନ୍ତି, ଏ ନେଇ ଯୋଗାଣ ବିଭାଗ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ରାଜ୍ୟ ସରକାର କହିଥିଲେ। କିନ୍ତୁ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକରେ ଏହି ଧାନକିଣାକୁ ନେଇ ଶୋଷଣର ଅଭିଯୋଗ ଯୋଗାଣ ବିଭାଗର ଅଧୀନରେ ଥିବା ରିଟେଲର ଆଣିଛନ୍ତି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଧାନ ବିକିବାକୁ ନେଇ ନାନା ଆଶଙ୍କା ସୃଷ୍ଟି ହୋଇଛି। ରିଟେଲର ନିଜେ ସରକାରୀ ନୀତି ନିୟମ ଭିତରେ ଧାନ ଦେବା ପରିବର୍ତ୍ତେ ଯୋଗାଣ ବିଭାଗ ଶୋଷଣ କରୁଛନ୍ତି ବୋଲି ରାଜନଗର ବ୍ଲକ ବନ୍ଧପଡା ପଞ୍ଚାୟତ ସନ୍ଥପଡ଼ା ଗଁାର ବାନାମ୍ବର ନାୟକଙ୍କ ଅଭିଯୋଗ କରିଛନ୍ତି। ରିଟେଲର ହେଲେ ମଧ୍ୟ ସେ ଜଣେ ଚାଷୀ। ତାଙ୍କ ପାଖକୁ ୩ ଜାନୁୟାରୀ ୨୦୨୩ରେ ୪୦ କୁଇଣ୍ଟାଲ ଧାନଦେବାକୁ ମୋବାଇଲକୁ ପ୍ରଥମ ମେସେଜ ଆସିଥିଲା।
ବାନାମ୍ବର ଓସ୍ତିଆ ସେବା ସମବାୟ ସମିତି ଯିବା ପରେ ୧୧ ଜାନୁୟାରୀ ୨୦୨୩ରେ ୨୦ କୁଇଣ୍ଟାଲ ଧାନ ଦେବାକୁ ଟୋକନ ଦେଇଥିଲେ। ମା’ରାମଚଣ୍ଡୀ ରାଇସ୍‌ ମିଲ କିମ୍ବା ସେବା ସମବାୟ ସମିତି ମଣ୍ଡିକୁ ଧାନ ଆଣିବାକୁ କହିଥିଲେ। ଏହି ୨୦ କୁଇଣ୍ଟାଲ ଧାନ ଦେବା ପରେ ଆଉ ଥରେ ୨୦ କୁଇଣ୍ଟାଲର ଟୋକନ ଦିଆଯିବ ବୋଲି କୁହାଯାଇଥିଲା। ବାନାମ୍ବର ୧୩ ତାରିଖରେ ମା’ରାମଚଣ୍ଡୀ ରାଇସ ମିଲ୍‌ରେ ୨୦ କୁଇଣ୍ଟାଲ ଧାନ ଦେଇଛନ୍ତି। ପରେ ରାଇସ୍‌ ମିଲ୍‌ରେ ଧାନ ଦେଇଥିବା ଟୋକନ ନେଇ ସେବା ସମବାୟ ସମିତିର ସମ୍ପାଦକଙ୍କୁ ଦେଖାଇବା ସହ ଆଉ ଅବଶିଷ୍ଟ ଧାନର ଟୋକନ ମାଗିଥିଲେ। ସେ ନ ଦେବାରୁ ବାନାମ୍ବର ଅବଶିଷ୍ଟ ୨୦ କୁଇଣ୍ଟାଲର ଟୋକନ ଜିଦ୍‌ ଧରି ମାଗିବାରୁ ତମେ ମଣ୍ଡିକୁ ଧାନ ଦେଇ ନାହଁ କହି ଫେରାଇ ଦେବା ସହ ଖରାପ ବ୍ୟବହାର କରିଥିବା ନେଇ ବାନାମ୍ବର ଲିଖିତ ଭାବେ ଅଭିଯୋଗ କରିଛନ୍ତି। ବାନାମ୍ବର ତାଙ୍କ ସହ କରାଯାଇଥିବା ଦୁର୍ବ୍ୟବହାର, ମଣ୍ଡିରେ ଦେଇଥିବା ଧାନର ଅର୍ଥ ପାଇବା ଓ ତାଙ୍କୁ ୨୦ କୁଇଣ୍ଟାଲର ଟୋକନ ଦେବା ସମ୍ପର୍କରେ ଅତିରିକ୍ତ ଜିଲା ଯୋଗାଣ ଅଧିକାରୀଙ୍କୁ ଜଣାଇଛନ୍ତି। ଏ ନେଇ ରାଜନଗର ବ୍ଲକ ଯୋଗାଣ ଅଧିକାରୀ ଦେବୀ ପ୍ରସାଦ ଦାଶଙ୍କୁ ପଚାରିବାରୁ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

Share