Categories: ଜାତୀୟ

ବାଣ କାରଖାନାରେ ବିସ୍ଫୋରଣ: ୧୦ ମୃତ

ଭାଗଲପୁର(ବିହାର),୫ା୩ (ପି.ଟି.): ବିହାରର ଭାଗଲପୁର ଜିଲାରେ ଏକ ବେଆଇନ ବାଣ କାରଖାନାରେ ଶୁକ୍ରବାର ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିବା ସହ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ଭୋର ସମୟରେ କାଜବାଲିଚକ ଅଞ୍ଚଳର ମହେନ୍ଦ୍ର ମଣ୍ଡଳଙ୍କ ଘର ଭିତରେ ବିସ୍ଫୋରଣ ହୋଇଥିଲା। ତାଙ୍କ ଘର ଲୋକେ ବେଆଇନ ବାଣ କାରବାରରେ ସମ୍ପୃକ୍ତ ଥିବା କୁହାଯାଉଛି। ବିସ୍ଫୋରଣରେ ମଣ୍ଡଳଙ୍କ ଘର ସମେତ ପାଖରେ ଥିବା ଦୁଇଟି ବିଲ୍ଡିଂ ଧୂଳିସାତ୍‌ ହୋଇଯାଇଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଶବ୍ଦ ବହୁ ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା ବୋଲି ଭାଗଲପୁର ଜିଲା ମାଜିଷ୍ଟ୍ରେଟ୍‌ ସୁବ୍ରତ କୁମାର ସେନ୍‌ କହିଛନ୍ତି। ବିସ୍ଫୋରଣରେ କେଉଁ ସାମଗ୍ରୀ ବ୍ୟବହାର ହୋଇଥିଲା ଜାଣିବା ପାଇଁ ଫୋରେନସିକ୍‌ ବିଶେଷଜ୍ଞ ଏବଂ ବୋମା ନିଷ୍କ୍ରିୟକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ନମୁନା ସଂଗ୍ରହ କରିଛନ୍ତି। ମିଳିଥିବା ୧୦ ମୃତଦେହ ଅତ୍ୟନ୍ତ ବିକୃତ ହୋଇଯାଇଥିବାରୁ ପ୍ରଶାସନ ସେମାନଙ୍କୁ ଚିହ୍ନଟ କରିପାରି ନାହିଁ। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜିଲା ମାଜିଷ୍ଟ୍ରେଟ୍‌ଙ୍କ କହିବା ଅନୁଯାୟୀ ମଣ୍ଡଳ ପୂର୍ବରୁ ବେଆଇନ ବାଣ ଉତ୍ପାଦନରେ ସମ୍ପୃକ୍ତ ଥିଲେ। ୨୦୦୮ରେ ତାଙ୍କ ଘରେ ଅନୁରୂପ ବିସ୍ଫୋରଣରେ ସ୍ତ୍ରୀଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଥିଲା।
ବାଣ କାରଖାନା ବିସ୍ଫୋରଣ ମୃତ୍ୟୁ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକବ୍ୟକ୍ତ କରିଛନ୍ତି। ସେ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ସେମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି। ମୋଦି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଏ ସମ୍ପର୍କରେ କଥା ହୋଇଛନ୍ତି।

Share