Categories: ଜାତୀୟ

ବେଆଇନ ବାଣ କାରଖାନାରେ ବିସ୍ଫୋରଣ

କୁଶୀନଗର,୪।୧୧: ଉତ୍ତରପ୍ରଦେଶର କୁଶୀନଗର ଜିଲାରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ବୁଧବାର ସକାଳେ ବେଆଇନ କାରଖାନାରେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଛନ୍ତି। ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, କପ୍ତାନଗଞ୍ଜ ଥାନା ଅନ୍ତର୍ଗତ ଓ୍ବାର୍ଡ ନମ୍ବର ୧୧ରେ ଥିବା ଏକ ବେଆଇନ ବାଣ କାରଖାନାରେ ବୁଧବାର ସକାଳେ କିଛି ଲୋକ ବାଣ ତିଆରି କରୁଥିଲେ।

ସେହି ସମୟରେ ହଠାତ୍‌ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ ଉକ୍ତ ଘର ଏବଂ ଆଖପାଖରେ ଥିବା ଘରର କାନ୍ଥମାନ ଭାଙ୍ଗିଯାଇଥିଲା। ଘଟଣାସ୍ଥଳରେ କପ୍ତାନଗଞ୍ଜ ପୋଲିସ ପହଞ୍ଚି ମୃତ ଓ ଆହତଙ୍କ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଚଳାଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ବେଳେ ଏବେବି ଭଗ୍ନାବଶେଷ ତଳେ ଅନେକ ଲୋକଙ୍କ ଚାପି ହେବାର ଆଶଙ୍କା କରାଯାଉଛି।

Share