Categories: ଜାତୀୟ

ରଣବୀରରେ ବିସ୍ଫୋରଣ: ୩ ମୃତ

ମୁମ୍ବାଇ,୧୯।୧: ଭାରତୀୟ ନୌସେନାର ମୁମ୍ବାଇ ଡକ୍‌ୟାର୍ଡରେ ଥିବା ଆଇଏନ୍‌ଏସ୍‌ ରଣବୀରରେ ମଙ୍ଗଳବାର ରାତିରେ ବିସ୍ଫୋରଣ ଘଟିଛି। ଏଥିରେ ୩ ନାବିକଙ୍କ ଜୀବନ ଯାଇଥିବାବେଳେ ଅନେକେ ଆହତ ହୋଇଛନ୍ତି। ବିସ୍ଫୋରଣର କାରଣ ସ୍ପଷ୍ଟ କରିବା ଲାଗି ନୌସେନା ପକ୍ଷରୁ କୋର୍ଟ ଅଫ୍‌ ଇନ୍‌କ୍ୱାରି ନିର୍ଦ୍ଦେଶ ଦିଆଯାଇଛି।
ଗତ ନଭେମ୍ବରରେ ବିଧ୍ୱଂସକ ଯୁଦ୍ଧଜାହାଜ ଆଇଏନ୍‌ଏସ୍‌ ରଣବୀରକୁ ଇଷ୍ଟର୍ନ ନାଭାଲ କମାଣ୍ଡରେ ଅପରେଶନ ପାଇଁ ମୁତୟନ କରାଯାଇଥିଲା। ଖୁବ୍‌ଶୀଘ୍ର ଏହା ମୁମ୍ବାଇ ବେସ୍‌ ପୋର୍ଟକୁ ଫେରିଥାଆନ୍ତା। ତେବେ ଏହା ପୂର୍ବରୁ ଡକ୍‌ୟାର୍ଡରେ ହଠାତ୍‌ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ୩ ନାବିକଙ୍କ ମୃତ୍ୟୁ ଘଟିଥିବାବେଳେ ଯୁଦ୍ଧଜାହାଜର ବଡ଼ଧରଣର କ୍ଷତି ହୋଇନାହିଁ। ସେଥିରେ ଥିବା ଅନ୍ୟ ନାବିକମାନେ ତତ୍କାଳ ସ୍ଥିତି ନିୟନ୍ତ୍ରଣକୁ ଆଣିଥିଲେ। ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ଆଇଏନ୍‌ଏସ୍‌ ରଣବୀର ହେଉଛି ରଣବୀର ଶ୍ରେଣୀର ପ୍ରଥମ ଯୁଦ୍ଧଜାହାଜ। ୧୯୮୬ ଏପ୍ରିଲରେ ଏହା ଭାରତୀୟ ନୌସେନାରେ ସାମିଲ ହୋଇଥିଲା। ସୋଭିଏଟ୍‌ ୟୁନିୟନ୍‌ ପକ୍ଷରୁ ନିର୍ମିତ ରଣବୀର ଯୁଦ୍ଧଜାହାଜ ଏୟାରକ୍ରାଫ୍ଟ ଏବଂ ବୁଡ଼ାଜାହାଜ ନିରୋଧୀ ଯୁଦ୍ଧରେ ନିୟେଜିତ ହୋଇଥାଏ।

Share