ପଥର ଖାଦାନରେ ବିସ୍ଫୋରଣ

ଲଖନପୁର,୨୮।୨: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ସେନାମାଲ ପଥର ଖାଦାନରେ ବିସ୍ଫୋରଣ ଘଟି ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବାଦିମାଲ ଗ୍ରାମର ହରେକୃଷ୍ଣ ଭୋଇ(୩୬)। ଖବର ପାଇ ବନହରପାଲି ଥାନା ଓ କୁମ୍ଭାରବନ୍ଧ ଫାଣ୍ଡି ପୋଲିସ ବେଲପାହାଡ ଜାହାଙ୍ଗୀର ଗାନ୍ଧୀ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଝାରସୁଗୁଡା ପଠାଇଛି। ମୃତକଙ୍କ ସାନଭାଇ ନୀଳାଞ୍ଚଳଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ବନହରପାଲି ଥାନାରେ ଏକ ମାମଲା (ନଂ.୨୭/୨୧) ରୁଜୁ କରି ତଦନ୍ତ ଚଳାଇଛି।
ସୂଚନା ଅନୁସାରେ, ହରେକୃଷ୍ଣଙ୍କ ବାପା, ଭାଇ ଏହି ପଥର ଖାଦାନରେ ଦୀର୍ଘବର୍ଷ ହେଲା କାମ କରିଆସୁଥିବା ବେଳେ ହରେକୃଷ୍ଣ ସୁପରଭାଇଜର କାମ କରୁଥିଲେ। ରବିବାର ମଧ୍ୟାହ୍ନରେ ପଥର ଉତ୍ତୋଳନ ପାଇଁ ବିସ୍ଫୋରଣ କରାଯାଇଥିଲା। ଏହି ବିସ୍ଫୋରଣରେ ଏକ ପଥର ଖଣ୍ଡ ଆସି ହରେକୃଷ୍ଣଙ୍କ ମୁଣ୍ଡରେ ବାଜିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ବେଲପାହାଡ ଜାହାଙ୍ଗୀର ଗାନ୍ଧୀ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।