Advertisement

ଜନ୍ତୁ ଶିକାର ପାଇଁ ବିସ୍ଫୋରକ ତିଆରି ପଡ଼ିଲା ମହଙ୍ଗା: ବିସ୍ଫୋରଣରେ ୨ ମୃତ

ଦେବଗଡ଼,୬ା୯(ଡ଼ି.ଏନ୍‌.ଏ.): ଦେବଗଡ଼ ଜିଲା ତିଲେଇବଣି ବ୍ଲକ ଲଇମୁରା ଫାଣ୍ଡି ଅନ୍ତର୍ଗତ ଚିଲାଣ୍ଟିଖୋଳ ଗ୍ରାମରେ ଶନିବାର ଜନ୍ତୁ ଶିକାର ପାଇଁ ବିସ୍ଫୋରକ ତିଆରି କରୁଥିବାବେଳେ ବିସ୍ଫୋରଣ ଘଟିଛି। ଏଥିରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ରଞ୍ଜିତ ଭୋଇ ଓ ସନ୍ତୋଷ ପଟ୍ଟା।
ସୂଚନାଯୋଗ୍ୟ, ୨ ଦିନ ପୂର୍ବରୁ ଗ୍ରାମର ପବିତ୍ର ପଟ୍ଟାଙ୍କ ଘରକୁ ସମ୍ପର୍କୀୟ ମାମୁ ପୁଅ ଭାଇ ରଞ୍ଜିତ ଭୋଇ ଓ ମାଉସୀ ପୁଅ ଭାଇ ସନ୍ତୋଷ ପଟ୍ଟା ରିଆମାଳ ଥାନାଅଞ୍ଚଳ କଂସର ଗ୍ରାମରୁ ଆସିଥିଲେ। ଶନିବାର ପୂର୍ବାହ୍ନରେ ପବିତ୍ରଙ୍କ ଘରୁ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ପରେ ପରିବାର ଲୋକେ ଓ ଗ୍ରାମବାସୀ ଯାଇ ଦେଖିବାରୁ ସେଠାରେ ରଞ୍ଜିତ ଓ ସନ୍ତୋଷଙ୍କର କ୍ଷତବିକ୍ଷତ ମୃତଦେହ ପଡିଥିଲା । ବେଆଇନ ଭାବେ ବିସ୍ଫୋରକ ତିଆରି ହେଉଥିବାରୁ ପୋଲିସର କଠୋର କାର୍ଯ୍ୟାନୁଷ୍ଠାନ ଭୟରେ ପରିବାର ଲୋକେ ଏକଥାକୁ ଚପାଇଦେବା ପାଇଁ ଉଦ୍ୟମ କରିଥିଲେ । ଏପରିକି କଥା ପ୍ରଗଠ ନ କରିବାପାଇଁ ପବିତ୍ର ଗାଁ ଲୋକଙ୍କୁ ମଧ୍ୟ ନିବେଦନ କରିଥିଲେ । ଫଳରେ ଏ ସମ୍ପର୍କରେ କେହି ହେଲେ ପୁଲିସକୁ ସୂଚନା ଦେଇ ନ ଥିଲେ । ତେବେ ଭବିଷ୍ୟତରେ ବିପଦ ସୃଷ୍ଟି ହେବାର ଅଶଙ୍କା କରି ଗାଁ ସଭାପତି ଦୁର୍ଯ୍ୟୋଧନ ଧରୁଆ ପୋଲିସକୁ ଖବର ଦେଇଥିଲେ। ସୂଚନାପାଇ ଦେବଗଡ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର ଓ ଲଇମୁରା ଫାଣ୍ଡି ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନଦତ ଆରମ୍ଭ କରିଥିଲେ। ତେବେ ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଅଧିକ ତଦନ୍ତ ଆଇଁ ରବିବାର ସକାଳେ ଦେବଗଡ ଏସ୍‌ଡିପିଓ ସୁଲେମାନ ଏକ୍କା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ତ୍ୱରାନ୍ବିତ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share