Categories: ଜାତୀୟ

ପ୍ରଜ୍ଞାଙ୍କ ସ୍କୁଟରରେ ବିସ୍ଫୋରକ ନିଆଯାଇଥିଲା

ମୁମ୍ବାଇ,୪ା୮: ୨୦୦୮ ମାଲେଗାଓଁ ବିସ୍ଫୋରଣରେ ବ୍ୟବହୃତ ସ୍କୁଟର ଭୋପାଳ ଏମ୍‌ପି ପ୍ରଜ୍ଞା ସିଂ ଠାକୁରଙ୍କ ନାମରେ ପଞ୍ଜୀକୃତ ହୋଇଥିଲା। ଏହି ମାମଲାର ୨୬୧ତମ ସାକ୍ଷୀ ରୂପେ ଜଣେ ଫରେନ୍ସିକ୍‌ ବିଶେଷଜ୍ଞ ଏନେଇ ମଙ୍ଗଳବାର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ର ମୁମ୍ବାଇ ସ୍ଥିତ ଏକ କୋର୍ଟଙ୍କୁ ଅବଗତ କରାଇଛନ୍ତି।

୨୦୦୮ ସେପ୍ଟେମ୍ବର ୨୯ରେ ମହାରାଷ୍ଟ୍ରର ନାଶିକ ଜିଲା ମାଲେଗାଓଁସ୍ଥିତ ଏକ ମସ୍‌ଜିଦ ନିକଟରେ ଶକ୍ତିଶାଳୀ ବିସ୍ଫୋରଣ ଘଟିଥିଲା। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଆହତ ହୋଇଥିଲେ। ଭିକୁ ଛକ ବିସ୍ଫୋରଣ ସ୍ଥଳରୁ ଏକ ବାଇକ୍‌ ଠାବ କରାଯାଇଥିଲା। ଉକ୍ତ ବାଇକ୍‌ରେ ବିସ୍ଫୋରକ ଖଞ୍ଜାଯାଇଥିବା ତଦନ୍ତକାରୀ ଅଧିକାରୀମାନେ ଯାଞ୍ଚ ପରେ ଜାଣିବାକୁ ପାଇଥିଲେ। ୨୦୦୮ରେ ଆସିଷ୍ଟାଣ୍ଟ କେମିକାଲ ଆନାଲାଇଜର ଭାବେ କାର୍ଯ୍ୟ କରିଥିବା ଫରେନ୍ସିକ୍‌ ବିଶେଷଜ୍ଞ ଏନେଇ ଏନ୍‌ଆଇଏ କୋର୍ଟରେ ସାକ୍ଷ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି, ବିସ୍ଫୋରଣ ସ୍ଥଳରୁ ମିଳିଥିବା ଏଲ୍‌ଏମ୍‌ଏଲ୍‌ ଭେସ୍ପା ସ୍କୁଟରରେ ଆମୋନିୟମ୍‌ ନାଇଟ୍ରେଟ୍‌ ରହିଥିଲା, ଯାହାକୁ ବିସ୍ଫୋରକ ଭାବେ ବ୍ୟବହାର କରାଯାଇଥିଲା। ଆମୋନିୟମ୍‌ ନାଇଟ୍ରେଟ୍‌ ଧରି ମସ୍‌ଜିଦ ଆଡ଼କୁ ଦ୍ରୁତଗତିରେ ମାଡ଼ିଆସିଥିବା ସ୍କୁଟରଟି ବିସ୍ଫୋରଣରେ ଜଳି ଯାଇଥିଲା। ଏହାର ତେଲ ଟାଙ୍କି, ସିଟ୍‌ କଭର୍‌ ସମ୍ପୂର୍ଣ୍ଣ ପୋଡ଼ିଯାଇଥିବାବେଳେ ଯନ୍ତ୍ରାଂଶଗୁଡ଼ିକ ଆଖପାଖରେ ବିଛାଡ଼ି ହୋଇପଡ଼ିଥିଲା।

ଅବସରପ୍ରାପ୍ତ ଫରେନ୍ସିକ୍‌ ଏକ୍ସପର୍ଟ ଅଦାଲତରେ ସରକାରୀ ଓକିଲ ଅବିନାଶ ରସାଲଙ୍କ ପ୍ରଶ୍ନର ଉତ୍ତର ଦେଇ ନିଜ ଛାନ୍‌ଭିନ୍‌ ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିଛନ୍ତି। ସେ କହିଛନ୍ତି, ପ୍ରମାଣ ସ୍ବରୂପ ପୋଲିସ ପଠାଇଥିବା ସାମଗ୍ରୀଗୁଡ଼ିକରେ ଲାଗିଥିବା ରାସାୟନିକ ପଦାର୍ଥକୁ ନେଇ ବିଶ୍ଳେଷଣ କରି ରିପୋର୍ଟ ପ୍ରଦାନ ଦାୟିତ୍ୱ ତାଙ୍କୁ ଦିଆଯାଇଥିଲା। ସେ ବିସ୍ଫୋରଣ ସ୍ଥଳ ପରିଦର୍ଶନ ସେଠାରେ ପଡ଼ିଥିବା ସ୍କୁଟିର ଇଞ୍ଜିନ ନମ୍ବର ବାହାର କରିଥିଲେ। ଇଞ୍ଜିନ ନମ୍ବର ଯାଞ୍ଚ ପରେ ଗାଡ଼ିର ରେଜିଷ୍ଟେଶନ ନମ୍ବର ମିଳିଥିଲା। ସେହି ସ୍କୁଟର ଏହି ମାମଲାର ଅଭିଯୁକ୍ତ ପ୍ରଜ୍ଞା ସିଂ ଠାକୁରଙ୍କ ନାମରେ ପଞ୍ଜୀକୃତ ହୋଇଥିବା ଜଣାପଡ଼ିଥିଲା। ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଏଥିସହ ଅନ୍ୟ ଏକ ବାଇକ୍‌ ଓ ୫ଟି ସାଇକେଲ ମଧ୍ୟ କୋର୍ଟକୁ ନେଇଥିଲା।

ପ୍ରକାଶ ଯେ, ସାଧ୍ୱୀ ପ୍ରଜ୍ଞା ନାମରେ ପରିଚିତ ଏହି ହିନ୍ଦୁବାଦୀ ନେତ୍ରୀଙ୍କୁ ୨୦୧୯ ସାଧାରଣ ନିର୍ବାଚନରେ ଭାଜପା ଟିକେଟ ଦେଇଥିଲା। ଏହା ପୂର୍ବରୁ ୨୦୦୮ ଅକ୍ଟୋବରରେ ମାଲେଗାଓଁ ବିସ୍ଫୋରଣ ମାମଲାରେ ଏଟିଏସ୍‌ ତାଙ୍କୁ ଗିରଫ କରିଥିଲା। ୨୦୦୯ ଜାନୁୟାରୀ ୧୯ରେ ମହାରାଷ୍ଟ୍ର ପୋଲିସ ୪୦୦୦ ପୃଷ୍ଠା ସମ୍ବଳିତ ଚାର୍ଜଶିଟ୍‌ ଦାଖଲ କରିଥିଲା। କର୍କଟ ରୋଗରେ ପୀଡ଼ିତ ପ୍ରଜ୍ଞାଙ୍କୁ ୨୦୧୭ ଏପ୍ରିଲରେ ସ୍ବାସ୍ଥ୍ୟଗତ କାରଣରୁ ବମ୍ବେ ହାଇକୋର୍ଟ ଜାମିନ ଦେଇଥିଲେ।

Share