Categories: ଜାତୀୟ

ବନ୍ଦ ହେବ ଅଣ ବାସମତି ଧଳା ଚାଉଳର ରପ୍ତାନି

ନୂଆଦିଲ୍ଲୀ,୨୧।୭:ଭାରତୀୟ ବଜାରରେ ଅଣବାସମତି ଧଳା ଚାଉଳର ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ସହିତ ଘରୋଇ ବଜାରରେ ମୂଲ୍ୟ ବୃଦ୍ଧିକୁ ହ୍ରାସ କରିବା ପାଇଁ ଭାରତ ସରକାର ରପ୍ତାନି ନୀତିରେ ସଂଶୋଧନ ଆଣିଛନ୍ତି। ୨୦% ରପ୍ତାନି ଶୁଳ୍କ ସହ ଜାରି ରପ୍ତାନି ଅନୁମତି ଉପରେ ତୁରନ୍ତ ନିଷେଧାଦେଶ ଲଗାଇଛନ୍ତି। ବିଶେଷକରି ଘରୋଇ ବଜାରରେ ଚାଉଳର ମୂଲ୍ୟ ବୃଦ୍ଧି ଜାରି ରହିଛି। ଖୁଚୁରା ମୂଲ୍ୟ ଏକ ବର୍ଷ ମଧ୍ୟରେ ୧୧.୫% ଏବଂ ମାସକ ମଧ୍ୟରେ ୩% ବୃଦ୍ଧି ପାଇଛି। ସେହିଭଳି ଅଣ-ବାସମତି ଧଳା ଚାଉଳ ଦର ହ୍ରାସ ସହିତ ଘରୋଇ ବଜାରରେ ଉପଲବ୍ଧତା ପାଇଁ ୨୦୨୨ ସେପ୍ଟେମ୍ବର ୮ରେ ଏହା ଉପରେ ୨୦% ରପ୍ତାନି ଶୁଳ୍କ ମୂଲ୍ୟ ଲାଗୁ କରାଯାଇଥିଲା। ୨୦% ରପ୍ତାନି ଶୁଳ୍କ ଲାଗୁ ହେବା ପରେ ମଧ୍ୟ ଏହି କିସମର ଚାଉଳ ରପ୍ତାନି ୨୦୨୧-୨୨ ଆର୍ଥିକ ବର୍ଷର ସେପ୍ଟେମ୍ବରରୁ ମାର୍ଚ୍ଚ ମଧ୍ୟରେ ୩୩.୬୬ ଲକ୍ଷ ମେଟ୍ରିକ ଟନ (ଏଲ୍‌ଏମ୍‌ଟି) ହୋଇଥିବାବେଳେ ୨୦୨୨-୨୩ ଆର୍ଥିକ ବର୍ଷର ସେପ୍ଟେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ୪୨.୧୨ ଏଲଏମ୍‌ଟି ରହିଥିଲା। ଚଳିତ ଆର୍ଥିକ ବର୍ଷର ଏପ୍ରିଲ୍‌ରୁ ଜୁନ୍‌ ମଧ୍ୟରେ ଉକ୍ତ ଚାଉଳର ରପ୍ତାନି ପ୍ରାୟ ୧୫.୫୪ ଏଲ୍‌ଏମ୍‌ଟି ରହିଛି, ଯାହା ୨୦୨୨-୨୩ ଆର୍ଥିକ ବର୍ଷର ଏପ୍ରିଲ୍‌ରୁ ଜୁନ୍‌ ଅବଧି ତୁଳନାରେ ୩୫% ବୃଦ୍ଧି ସହ ୧୧.୫୫ ଏଲ୍‌ଏମ୍‌ଟିରେ ରହିଥିଲା। ଅପରପକ୍ଷରେ ରପ୍ତାନିର ଏହି ଦ୍ରୁତ ଅଭିବୃଦ୍ଧି ଅନ୍ତର୍ଜାତୀୟ ବଜାରରେ ଦରବୃଦ୍ଧି, ଭୂ-ରାଜନୈତିକ ପରିସ୍ଥିତି, ଏଲ୍‌ ନିନ୍ୟୋ ପ୍ରଭାବ ଏବଂ ଅନ୍ୟ ଚାଉଳ ଉତ୍ପାଦନକାରୀ ଦେଶରେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଦାୟୀ କରାଯାଉଛି। ଉଲ୍ଲେଖଯୋଗ୍ୟ, ଅଣ-ବାସମତି ଧଳା ଚାଉଳ ଦେଶରୁ ରପ୍ତାନି ହୋଇଥିବା ମୋଟ ଚାଉଳର ପ୍ରାୟ ୨୫%।

Share