ନୂଆଦିଲ୍ଲୀ,୧୬।୯: କରୋନା ପ୍ରଭାବ ଯୋଗୁ ଗତ ୬ ମାସ ହେବ ଘରୋଇ ବଜାରରୁ ରପ୍ତାନି ହ୍ରାସ ଧାରା ଲାଗି ରହିଛି। ଅଗଷ୍ଟରେ ରପ୍ତାନି ୧୨.୬୬% ହ୍ରାସ ଘଟି ୨୨.୭ ବିଲିୟନ ଡଲାର ରହିଛି। ପେଟ୍ରୋଲିୟମ, ଚମଡ଼ା, ଇଞ୍ଜିନିୟରିଂ ଉତ୍ପାଦ, ଜେମ୍ସ ଆଣ୍ଡ ଜୁଏଲେରି ଭଳି ଅନ୍ୟ ବର୍ଗରେ ସାମଗ୍ରୀ ରପ୍ତାନି ଖସିବା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ସରକାର ମଙ୍ଗଳବାର ଜାରି କରିଥିବା ଡାଟାରୁ ସାମ୍ନାକୁ ଆସିଛି। ଏହି ସମୟ ଅବଧିରେ ଆମଦାନୀ ୨୬% କମିବା ଯୋଗୁ ଏହା ୨୯.୪୭ ବିଲିୟନ ଡଲାର ରହିଛି। ଫଳରେ ବାଣିଜ୍ୟ ନିଅଣ୍ଟ ୬.୭୭ ବିଲିୟନ ଡଲାରକୁ ଏହା ଖସିଛି। ଏହା ଗତ ବର୍ଷ ୧୩.୮୬ ବିଲିୟନ ଡଲାର ରହିଥିଲା। ଅଗଷ୍ଟରେ ତେଲ ଆମଦାନୀ ୪୧.୬୨% ହ୍ରାସ ହେବା ଯୋଗୁ ଏହା ୬.୪୨ ବିଲିୟନ ଡଲାରକୁ ଖସିଛି। ଏହି ସମୟରେ ସୁନା ଆମଦାନୀ ୩.୭ ବିଲିୟନ ଡଲାରକୁ ବଢିଛି। ଏହା ୨୦୧୯ ଅଗଷ୍ଟରେ ୧.୩୬ ବିଲିୟନ ଡଲାର ରହିଥିଲା। ଚଳିତ ବର୍ଷ ଏପ୍ରିଲ-ଅଗଷ୍ଟ ସମୟ ମଧ୍ୟରେ ରପ୍ତାନି ୨୬.୬୫% ହ୍ରାସ ଘଟିଛି। ସେହିଭଳି ଆମଦାନୀ ୪୩.୭୩% କମିଛି। ଏହି ଅବଧିରେ ବାଣିଜ୍ୟ ନିଅଣ୍ଟ ୨୦.୭୨ ବିଲିୟନ ଡଲାର ରହିଥିବା ଜଣାପଡିଛି।