‘ଓଡ଼ିଶାରେ ବୃଦ୍ଧି ପାଉଛି ରପ୍ତାନି କାରବାର’

ଭୁବନେଶ୍ୱର,୨।୯:ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ର କର୍ପୋରେଟ୍‌ ବ୍ୟାଙ୍କିଙ୍ଗ୍‌ ଶାଖା ଦ୍ୱାରା ନିକଟରେ ଏକ ଦିନିକିଆ ରପ୍ତାନି ଓ ଆମଦାନୀକାରୀଙ୍କ ବୈଠକ ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ଉକ୍ତ ବୈଠକରେ ପିଏନ୍‌ବିର ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟର ଅଞ୍ଚଳ ମୁଖ୍ୟ ଏ.ଉଦୟ ଭାସ୍କର ରେଡ୍ଡୀ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କର ଭୁବନେଶ୍ୱର ମଣ୍ଡଳ ମୁଖ୍ୟ ଚିତ୍ତରଞ୍ଜନ ପୃଷ୍ଟି, ଉପ ମଣ୍ଡଳ ମୁଖ୍ୟ ଉମାକାନ୍ତ ଦାସ ଏବଂ କର୍ପୋରେଟ୍‌ ବ୍ୟାଙ୍କିଙ୍ଗ୍‌ ଶାଖା ମୁଖ୍ୟ କ୍ଷେତ୍ରମୋହନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବିଶେଷକରି କୋଭିଡ୍‌ ମହାମାରୀର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଓଡ଼ିଶା ରପ୍ତାନି କାରବାରରେ ପୂର୍ବ ଆର୍ଥିକ ବର୍ଷ ତୁଳନାରେ ବେଶ୍‌ ଭଲ ପ୍ରଦର୍ଶନ କରିଛି। ଏପରିକି ରାଜ୍ୟ ଏମ୍‌ଏସ୍‌ଏମ୍‌ଇ ବିଭାଗ ଅଧୀନରେ ଥିବା ରପ୍ତାନି ପ୍ରୋତ୍ସାହନ ଓ ମାର୍କେଟିଂ ନିର୍ଦ୍ଦେଶାଳୟର ସୂଚନା ଅନୁଯାୟୀ ଗତ ଆର୍ଥିକ ବର୍ଷରେ ଓଡ଼ିଶାର ରପ୍ତାନି କାରବାର ୭୪,୦୦୦ ହଜାର କୋଟି ଟଙ୍କା ଅତିକ୍ରମ କରିବ ବୋଲି ଆଶା କରାଯାଉଛି, ଯାହା ୨୦୧୯-୨୦ ଆର୍ଥିକ ବର୍ଷରେ ସୃଷ୍ଟି ହୋଇଥିବା ୫୧,୭୪୨ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି। ସେହିଭଳି ଓଡ଼ିଶାରେ ରପ୍ତାନି କାରବାର ବୃଦ୍ଧି ପାଇଁ ବିପୁଳ ସୁଯୋଗ ରହିଛି ବୋଲି ଉପସ୍ଥିତ ଅତିଥି ଓ ବ୍ୟାଙ୍କ ପଦଧିକାରୀମାନେ ମତବ୍ୟକ୍ତ କରିଥିଲେ।

Share