ନଦୀଘାଟରୁ ଖୋଲାଖୋଲି ବାଲି ଚାଲାଣ

ଖଡ଼ିଆଳ, ୪।୬(ଡି.ଏନ.ଏ.): ନୂଆପଡା ଜିଲା ଖଡ଼ିଆଳ ବ୍ଲକରେ ୧୧ଟି ନଦୀ ବାଲିଘାଟ ଅଛି। ତୋର୍ଲି, ବିଛନାପାଲି ନମ୍ବର ୧, କିକିରିବେଡା ନିଲାମ ହୋଇଛି। ବିଛନାପାଳି ନମ୍ବର ୨, ବଡଦୋହେଲ, ଗୋଡଧୁଆ ପଦର, ଭୁଲିଆସିକୁଆ, ଖୁଦପେଜ, ଚାନ୍ଦଗିରି, ଅରେଡା, କୁଶମାଲ ବାଲିଘାଟ ବର୍ତ୍ତମାନ ପର୍ଯ୍ୟନ୍ତ ନିଲାମ ହୋଇ ନ ଥିବା ବିଭାଗ ପକ୍ଷରୁ ଜଣାଯାଇଛି। ପ୍ରତ୍ୟେକ ବାଲିଘାଟ ୩ବର୍ଷରେ ଥରେ ନିଲମ ହେବା ନିୟମ ଅଛି। ୨୦୨୩ ବର୍ଷ ପାଇଁ ମାର୍ଚ୍ଚରେ ନିଲାମ ଶେଷ ହେବା ନିୟମ ଅଛି। ହେଲେ ବିଭାଗୀୟ ଅଧିକାରୀମାନଙ୍କ ଅସହଯୋଗ ଯୋଗୁ ୮ଟି ନଦୀ ବାଲିଘାଟ ନିଲାମ ହୋଇନାହିଁ। ଫଳରେ ବର୍ତ୍ତମାନ ନଦୀ ବାଲିଘାଟ ରାଜସ୍ବ ବିଭାଗ ଅଧୀନରେ ରହିଛି। ଅସାଧୁ ରାଜସ୍ବ କର୍ମଚାରୀମାନଙ୍କ ଲାଭଖୋର ମନୋଭାବ ଯୋଗୁ ଖଡ଼ିଆଳ ବ୍ଲକରେ ନିଲାମ ହୋଇ ନ ଥିବା ବାଲିଘାଟରୁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହାନି ହେଉଥିବା ବେଳେ ଅଧିକାରୀ ମାଲମାଲ ହେଉଥିବା ନଜରକୁ ଆସିଛି। ସରକାରୀ ନିୟମ ଅନୁଯାୟୀ ଏହି ବାଲିଘାଟଗୁଡିକରୁ ଏକ ଟ୍ରିପ ବାଲି ମଧ୍ୟ ଉଠି ପାରିବ ନାହିଁ। କିନ୍ତୁ ଗତ କିଛି ମାସ ହେବ ଏହି ବାଲିଘାଟଗୁଡିକରୁ ଦୈନିକ ଶହ ଶହ ଟ୍ରାକ୍ଟର ଯୋଗେ ବାଲି ଚୋରା ଚାଲାଣ ହେଉଛି। କିନ୍ତୁ ଖଡ଼ିଆଳ ରାଜସ୍ବ (ତହସିଲ) ବିଭାଗ ଚୁପ ରହି ବସିଛି। ବାଲିଘାଟଠାରୁ ଅନତି ଦୂରରେ ଡୁଆଝର, ତୁକୁଲା, ବିରିଘାଟ, ବରଗାଁ, ଭୁଲିଆସିକୁଆ, ବାଦୀ, ଚିନ୍ଦାଗୁଡା ଓ ଖଡ଼ିଆଳ ରାଜସ୍ବ ଅଧିକାରୀମାନଙ୍କ କାର୍ଯ୍ୟାଳୟ ଅଛି। ହେଲେ ସେମାନଙ୍କ ସାମନାରେ ଶହ ଶହ ଟ୍ରିପ ବାଲି ଚୋରା ଚାଲାଣ ହେଉଛି। ହେଲେ ରାଜସ୍ବ ବିଭାଗ ଚୁପ ରହିବା ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ଏହାର ତଦନ୍ତ କରି ସମ୍ପୃକ୍ତ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ଏ ନେଇ ଖଡ଼ିଆଳ ଅତିରକ୍ତ ତହସିଲଦାର ଜୟସେନ ଧରୁଆଙ୍କୁ ଅବଗତ କରିବାରୁ ବାଲି ଚୋରା ଚାଲାଣ ରୋକିବାକୁ ଗୋଟିଏ କମିଟି ଗଠନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ପ୍ରକାଶ କରିଥିଲେ।

Share