Categories: ଜାତୀୟ

ସହରୀ ମାଓବାଦ-ଜେହାଦ୍‌ ସମ୍ପର୍କର ପର୍ଦ୍ଦାଫାଶ୍‌: ଏନ୍‌ଆଇଏ ଚାର୍ଜଶିଟ୍‌ରେ ଉଲ୍ଲେଖ

ନୂଆଦିଲ୍ଲୀ, ୧୫।୧୦: ସହରୀ ମାଓବାଦ ଏବଂ ଜେହାଦ୍‌ ମଧ୍ୟରେ ଥିବା ସମ୍ପର୍କର ପର୍ଦ୍ଦାଫାଶ୍‌ ହୋଇଛି। ଏନେଇ ଏନ୍‌ଆଇଏ ଚାର୍ଜଶିଟ୍‌ରେ ଉଲ୍ଲେଖ କରାଯାଇଛି। ସହରୀ ମାଓବାଦକୁ ଜେହାଦୀ ସଂଗଠନ ପାଣ୍ଠି ସଂଗ୍ରହ କରି ଯୋଗାଉ ଥିବା ନେଇ ଏନ୍‌ଆଇଏ କହିଛି। ସହରୀ ମାଓବାଦ ଦେଶରେ ହିନ୍ଦୁଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବାର ଉଦ୍ୟମ ଜାରି ରଖିଛି। ଭୀମା-କୋରେଗାଓ୍ବଁ ଠାରୁ ଆରମ୍ଭ କରି ହାଥ୍‌ରସ୍‌ ମାମଲାରେ ସହରୀ ମାଓବାଦର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ଏନ୍‌ଆଇଏ ପକ୍ଷରୁ କୁହାଯାଇଛି। ଭୀମା-କୋରେଗାଓ୍ବଁ ମାମଲାରେ ଦାଖଲ କରାଯାଇଥିବା ସପ୍ଲିମେଣ୍ଟାରୀ ଚାର୍ଜଶିଟ୍‌ରେ ଏହା ଦର୍ଶାଯାଇଛି। ଏହି ମାମଲାରେ ଅଭିଯୁକ୍ତ ଗୌତମ ନଓ୍ବଲଖାଙ୍କର ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହିତ ସମ୍ପର୍କ ରହିଥିବା ଜଣାପଡ଼ିଛି। ଆଇଏସ୍‌ଆଇ ଏଜେଣ୍ଟ୍‌ ଗୁଲାମ୍‌ ନବୀ ଫଇଙ୍କ ସହିତ ଗୌତମଙ୍କର ଯୋଗାଯୋଗ ରହିଛି। ଗୁଲାମ ନବୀ ଆମେରିକାରେ ଜେଲ ଦଣ୍ଡ ଭୋଗୀ ସାରିଛନ୍ତି। ଆମେରିକା କୋର୍ଟରେ ସେ ଆଇଏସ୍‌ଆଇ ଏଜେଣ୍ଟ୍‌ ଭାବେ କାର୍ଯ୍ୟ କରୁଥିବା ପ୍ରମାଣିତ ହୋଇଛି। ସପ୍ଲିମେଣ୍ଟାରୀ ଚାର୍ଜଶିଟ୍‌ରେ ଷ୍ଟେନ୍‌ ସ୍ବାମୀଙ୍କ ସମ୍ପର୍କରେ ମଧ୍ୟ ତଥ୍ୟ ପ୍ରଦାନ କରାଯାଇଛି। ସ୍ବାମୀ ବହୁ ମାଓବାଦୀ ନେତାଙ୍କ ସହିତ ଯୋଗାଯୋଗରେ ରହିଥିବା ଏଥିରେ ଦର୍ଶାଯାଇଛି। ସେହିପରି ଅଭିଯୁକ୍ତ ହନି ବାବୁ ମାଓବାଦୀ ସଂଗଠନ ଗୁଡ଼ିକ ପାଇଁ ପାଣ୍ଠି ସଂଗ୍ରହରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ଚାର୍ଜଶିଟ୍‌ରେ ଉଲ୍ଲେଖ କରାଯାଇଛି।

Share