କୃଷି ଋଣ ପ୍ରଦାନରେ ବ୍ୟାଙ୍କ ତତ୍ପରତା ପ୍ରକାଶ କରନ୍ତୁ: ମନ୍ତ୍ରୀ

ଭୁବନେଶ୍ୱର, ୧୧।୨(ବ୍ୟୁରୋ): ଓଡ଼ିଶାରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଋଣ ପ୍ରଦାନ ଦିଗରେ ଜାତୀୟକରଣ ବ୍ୟବସାୟିକ ବ୍ୟାଙ୍କ ଓ ଘରୋଇ ବ୍ୟାଙ୍କ ଅଧିକ ତତ୍ପରତା ପ୍ରକାଶ କରିବା ଆବଶ୍ୟକ। ରିଜର୍ଭ ବ୍ୟାଙ୍କର ନିୟମାବଳୀ ଅନୁଯାୟୀ ବ୍ୟାଙ୍କମାନେ ସମୁଦାୟ ଋଣର ଶତକଡ଼ା ୧୮ ପ୍ରତିଶତ କୃଷି କ୍ଷେତ୍ରରେ ଦିଆଯିବା କଥା। ଆନ୍ଧ୍ରପ୍ରଦେଶ, କେରଳ, ତେଲାଙ୍ଗାନା, ତାମିଲନାଡ଼ୁ ଓ ପଞ୍ଜାବ ଆଦି ରାଜ୍ୟ ତୁଳନାରେ ଓଡ଼ିଶାରେ ବ୍ୟବସାୟିକ ବ୍ୟାଙ୍କମାନେ କମ୍‌ କୃଷି ଋଣ ପ୍ରଦାନ କରୁଛନ୍ତି। କୃଷକଙ୍କ ଆୟ ଦ୍ୱିଗୁଣିତ ଓ ବହୁଗୁଣିତ କରିବା ପାଇଁ ରାଜ୍ୟ ସରକାର କୃଷିଋଣ ପ୍ରଦାନ ଦିଗରେ ପ୍ରାଥମିକତା ଦେବା ସହିତ ୩ ପ୍ରତିଶତ ସୁଧ ରିହାତି ପ୍ରଦାନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କମାନେ କୃଷିଋଣର ସ୍ତର ବୃଦ୍ଧି କରିବା ସହିତ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ପାଇଁ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି।
ବୁଧବାର କୃଷି ଭବନରେ ଆୟୋଜିତ ବ୍ୟାଙ୍କର୍ସ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ସାହୁ କୃଷି କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଋଣ ପ୍ରଦାନ ସମ୍ପର୍କରେ ସମୀକ୍ଷା କରିଥିଲେ। ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନାରେ ରାଜ୍ୟ ସରକାରଙ୍କ ତରଫରୁ ମିଳିଥିବା ୪୨ କୋଟି ଟଙ୍କା ମଧ୍ୟରୁ ଅଦ୍ୟାବଧି ୩୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସବ୍‌ସିଡି ପ୍ରଦାନ ସରିଛି। ବକେୟା ପ୍ରକଳ୍ପଗୁଡ଼ିକର ଶୀଘ୍ର ଋଣ ମଞ୍ଜୁରୀ ସହିତ ୨୦୨୧-୨୨ ବର୍ଷରେ ବ୍ୟାଙ୍କରମାନଙ୍କୁ ୫ ଶହ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ପ୍ରାୟ ୨୦୦ କୋଟି ଟଙ୍କାର ଋଣ ଯୋଗାଣ ନିମନ୍ତେ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ପାଇଁ ମନ୍ତ୍ରୀ କହିଛନ୍ତି। ଏହି ଅବସରରେ ମନ୍ତ୍ରୀ ଋଣ ଜନିତ ସମସ୍ୟାର ସମ୍ମୁଖୀନ ହେଉଥିବା ନିଆଳି, ବରଗଡ଼, ପାଇକମାଳ ଓ ଆଠମଲ୍ଲିକର ଉଦ୍ୟୋଗୀଙ୍କ ସହ ଅନ୍‌ଲାଇନ୍‌ରେ କଥା ହୋଇଥିଲେ। ଧାର୍ଯ୍ୟ ସମୟରେ ଋଣ ଦେବାକୁ ମନ୍ତ୍ରୀ ବ୍ୟାଙ୍କର୍ସମାନଙ୍କୁ କହିଥିଲେ। ବୈଠକରେ କୃଷି ଉତ୍ପାଦନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜକୁମାର ଶର୍ମା, କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ, ସ୍ବତନ୍ତ୍ର ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଆର୍‌. ରଘୁପ୍ରସାଦ ପ୍ରମୁଖ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଅଭିବୃଦ୍ଧି ନିମନ୍ତେ ଅଧିକ ପୁଞ୍ଜିନିବେଶ ଉପରେ ଗୁରୁତ୍ୱ ଦେଥିଲେ।

Share